ଟି-୨୦ ବିଶ୍ୱକପର ସୁପର-୮ ଗ୍ରୁପ-୨ରୁ ପାକିସ୍ତାନ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ଇଂଲଣ୍ଡ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ୨ ପଏଣ୍ଟ ହାସଲ କରିଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ବର୍ଷା ଯୋଗୁଁ ଉକ୍ତ ମ୍ୟାଚ ବାତିଲ ହୋଇଯାଇଥିଲା । ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ । ଏଥର ସଂପୂର୍ଣ୍ଣ ପଏଣ୍ଟ ପାଇଁ ଆଶାୟୀ ପାକିସ୍ତାନ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଇଂଲଣ୍ଡ ମଧ୍ୟ ବିଜୟଧାରାକୁ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ।
ଇଂଲଣ୍ଡ ଦଳ ଲିଗ୍ ରାଉଣ୍ଡରେ ଛଡା ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲା । ପ୍ରଥମ ୩ଟି ଯାକ ମ୍ୟାଚରେ ବିଫଳ ହୋଇଥିବା ଫିଲ ସଲ୍ଟ ଶ୍ରୀଲଙ୍କା ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିବା ସହ ଫର୍ମକୁ ଫେରିବାର ସଂକେତ ଦେଇଥିଲେ । ପାକିସ୍ତାନ ମଧ୍ୟ ଲିଗ୍ ପର୍ଯ୍ୟାୟରେ ସେଭଳି ସ୍ଥିର ପ୍ରଦର୍ଶନ କରିନଥିଲା । ଭାରତ ବିପକ୍ଷରେ ଦଳ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ବର୍ଷା ଧୋଇ ନେବାରୁ ପାକିସ୍ତାନ ମ୍ୟାଚ୍ ଖେଳିପାରିନଥିଲା । ତେବେ ଆଜିର ମ୍ୟାଚରେ ବୋଲରମାନେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ନିଶ୍ଚିତ ।

