ବଲାଙ୍ଗୀର , ୨୨ /୨ ଓଡ଼ିଶାରାଜ୍ୟ ବଲାଙ୍ଗିର ଜିଲ୍ଲାସ୍ଥିତ ଟିଟିଲାଗଡ଼ ବିଖ୍ୟାତ ପ୍ରାକୃତିକ,ପ୍ରାଚୀନ ଓ ଆସ୍ଥାର କେନ୍ଦ୍ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ସାଂସ୍କୃତିକ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବି କରିଛନ୍ତି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପତ୍ର ଲେଖି ମନ୍ଦିରର ଉନ୍ନୟନ ଓ ସଂରକ୍ଷଣ ପାଇଁ ₹୫ କୋଟି ଅନୁଦାନ ମଞ୍ଜୁର କରିବା ସହ ଜାତୀୟ ମର୍ଯ୍ୟାଦା ଦେବାକୁ ଅନୁରୋଧ କରିଛନ୍ତି।
କୁମୁଡ଼ା ପାହାଡ଼ର ପ୍ରାକୃତିକ ଗୁମ୍ଫା ଭିତରେ ଅବସ୍ଥିତ ଏହି ଅଦ୍ୱିତୀୟ ଶିବ ମନ୍ଦିର ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଧାର୍ମିକ ମହତ୍ତ୍ୱ ପାଇଁ ସୁଖ୍ୟାତି ଅର୍ଜନ କରିଛି । ମନ୍ଦିର ସାମ୍ନାରେ ଥିବା ବିଶାଳ ପବିତ୍ର ସରୋବର ଦେଓବନ୍ଧ ଏହାର ଆଧ୍ୟାତ୍ମିକ ମର୍ଯ୍ୟାଦା କୁ ଦ୍ବିଗୁଣିତ କରୁଛି । କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ମନ୍ଦିର ଦ୍ୱାପର ଯୁଗ ସହ ସମ୍ପୃକ୍ତ ଓ ଏହାର ଐତିହାସିକ ପୌରାଣିକ ବିଶେଷତ୍ୱ ରହିଛି ।
ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଦଶଦିନିଆ ଉତ୍ସବରେ ଲକ୍ଷାଧିକ ଭକ୍ତ ଯୋଗ ଦେଇଥାନ୍ତି ଓ ସାରାବର୍ଷ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତି। ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ମନ୍ଦିରର ପ୍ରାଚୀନତା, ପ୍ରାକୃତିକ ବିଶିଷ୍ଟତା ଓ ଲୋକଆସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ଜାତୀୟ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରି ସଂରକ୍ଷଣ, ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟନ ଉନ୍ନୟନ ଆବଶ୍ୟକତା ଥିବାରୁ ଭାରତ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବିଭାଗୀୟ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି

