ଟାଙ୍ଗୀ: ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ । ବ୍ରାହ୍ମଣ ପଣ୍ଡିତମାନଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ମନ୍ଦିର ପରିସର । ମହିଳାମାନଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ, ଛୁଆଠୁ ନେଇ ବୃଦ୍ଧ ସମସ୍ତେ ଏକତ୍ରିତ ହୋଇଛନ୍ତି ମହାଯଜ୍ଞରେ । ଜଗତ କଲ୍ୟାଣ ପାଇଁ ଏହି ମହାଯଜ୍ଞ କରାଯାଇଛି । ଓଡ଼ିଶାରେ ସବୁବେଳେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ପ୍ରାୟତଃ ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ତେଣୁ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ବିଭିନ୍ନ ସ୍ଥାନରେ କରାଯାଏ ମହାଯଜ୍ଞ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ଯଜ୍ଞର ମୂଳ ମନ୍ତ୍ର ।
ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ବର-ନିଜିଗଡ଼ କୁହୁଡି ମୁଖ୍ୟ ରାସ୍ତା ପାର୍ଶ୍ବ ବିଲଗହୀର ମଧ୍ୟରେ ଥିବା ଆରାଧ୍ୟ ଠାକୁରାଣୀ ମା’ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଜଗତ କଲ୍ୟାଣାର୍ଥେ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଯୁବଗୋଷ୍ଠୀ, ବଦାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକଙ୍କ ଅକୁଣ୍ଠ ସହଯୋଗରେ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା । ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମ ଦିବସରେ କଳସ ଶୋଭାଯାତ୍ରା କରାଯାଇ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା । ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଥିଲା । ସମସ୍ତେ ନିରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ଏଠାରେ ଏକାଠି ହୋଇ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିଥିଲେ ଗ୍ରାମବାସୀ । ପୂର୍ଣ୍ଣ ଆହୁତି ଦିବସରରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହିତ ପୀଠରେ ଚାଲିଥିବା ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥଲେ।
ଆରାଧ୍ୟ ଠାକୁରାଣୀ ମା’ ବ୍ରାହ୍ମଁଣୀ ଦେବୀଙ୍କ ପାଖରେ ଯାହା ମାନସିକ କଲେ ମା’ ନିଶ୍ଚୟ ପୂରଣ କରନ୍ତି ବୋଲି ଭକ୍ତଙ୍କ ଠାରେ ବିଶ୍ବାସ ରହିଛି । ସେଥିପାଇଁ ତ ତାଙ୍କ ଭକ୍ତିରେ ଭଜନ କୀର୍ତ୍ତନ କରି ଝୁମୁଛନ୍ତି ଭକ୍ତଗଣ । ଆଉ ଏହି ମହାଯଜ୍ଞକୁ ନେଇ ସମସ୍ତଙ୍କ ମନରେ ରହିଥାଏ ବେଶ୍ ଉତ୍ସାହ ।

