ତିହିଡି, ୦୧.୦୨ : ଭଦ୍ରକ ଜିଲ୍ଲା ତିହିଡି ଥାନାରେ ଅସଦାଚରଣରେ ଗିରଫ୍ ଅଭିଯୁକ୍ତଙ୍କ ଘଟଣାର ସାନି ତଦନ୍ତ ଦାବିକଲେ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଆରସା ଗ୍ରାମବାସୀ । ପୂର୍ବ ଶତୃତା ତଥା ପ୍ରତିଶୋଧ ପରାୟଣ ହୋଇ ଜଣେ ମହିଳା ନିଜର ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ସୁରେନ୍ଦ୍ରନାଥ ବେହେରାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରାଯାଇଥିବା ଅଭିଯୋଗ ମୂଳେ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି । ପୋଲିସ ତରବରିଆ ଭାବେ ତଦନ୍ତ ନକରି ଅଚାନକ ସୁରେନ୍ଦ୍ରନାଥଙ୍କୁ ଗିରଫ୍ କରିଛି । ତେବେ ଘଟଣା ପଛରେ ପୂର୍ବ ଶତୃତା ଏବଂ ରଫାଦଫା କରିବା ଲାଗି ଅଭିଯୋଗକାରିଣୀ ଟଙ୍କା ମାଗିଥିବା ଘଟଣା ଗ୍ରାମବାସୀ ଜାଣିବା ପରେ ଆଜି ଶତାଧିକ ମହିଳା ଓ ପୁରୁଷ ସମ୍ମିଳୀତ ଭାବେ ପୋଲିସଙ୍କୁ ଭେଟି ଏପରି ଦାବି କରିଛନ୍ତି । ନାବାଳିକାର ପିତା ପୂର୍ବରୁ ବିବାହ କରିଥିଲେ । ମାତ୍ର କିଛି ଦିନ ପରେ ତାଙ୍କୁ ଘରୁ ବାହାର କରି େଇଥିଲେ । ଏବଂ ସେହି ଅସହାୟ ମହିଳାଙ୍କୁ ସୁରେନ୍ଦ୍ରନାଥ ଆଶ୍ରୟ ଦେଇଥିଲେ । ଶେଷରେ ଛାଡପତ୍ର ପାଇଁ ତାଙ୍କ ସ୍ୱାମୀ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇ ସମାଧାନ ହୋଇଥିଲା । ପରେ ସେ ଦ୍ୱିତୀୟ ବିବାହ କରିଥିଲେ ମାତ୍ର ସୁରେନ୍ଦ୍ରନାଥଙ୍କ ସହ ଶତୃତା ଲାଗି ରହିଥିଲା । କିଛିଦିନ ତଳେ ଅଭିଯୋଗକାରୀ ସ୍ୱାମୀ ସ୍ତ୍ରୀ ସୁଚିନ୍ତିତ ତଥା ସୁପରିକଳ୍ପିତ ଭାବେ ସୁରେନ୍ଦ୍ରନାଥ ତାଙ୍କ ନାବାଳିକା ସହ ଅସଦାଚରଣ କରିଥିବା ଅଭିଯୋଗ ମୁତାବକ ପୋଲିସ ତାଙ୍କ ଗିରଫ୍ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ସାନି ତଦନ୍ତ କରିବା ସହିତ ସୁରେନ୍ଦ୍ରନାଥଙ୍କୁ ଅବିଳମ୍ବେ ଦୋଷମୁକ୍ତ କରିବାକୁ ଦାବି କରିଛନ୍ତି । ଏନେଇ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ପଚାରିବାରୁ ଆଇନ୍ ଅନୁଯାଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରୀନାରାଣୀ ସ୍ୱାଇଁ, ବିଭୁତି ଭୁଷଣ ପାଟ୍ଟ, ଭାଷ୍କର ଚନ୍ଦ୍ର ନାୟକ, ରାଧାକାନ୍ତ ମହଲା, ସୁଶମା ମହଲା, କମଳାକାନ୍ତ ସ୍ୱାଇଁ, ଭାଗବତ ଜେନା, କୁଞ୍ଜଲତା ମହଲା, ପୁଷ୍ପଲତା ମହାଳିକ, କବିତା ସେନାପତି, ବାସନ୍ତୀ ସାହୁ, ରେବତୀ ମହଲା, କାଞ୍ଚନ ମହାଳିକ, ଗୌରୀ ମହଲା, ମିନତୀ ମହଲା ଓ ଅହଲ୍ୟ ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

