କବିଙ୍କ କାବ୍ୟଧାରାକୁ ନେଇ ସଙ୍କଳିତ ‘ସୃଷ୍ଟି ଓ ସମୀକ୍ଷା’ ପୁସ୍ତକ ଲୋକାର୍ପିତ।
ତିହିଡ଼ି: ବିଶିଷ୍ଟ କବି ‘ଦିବ୍ୟସିଂହ ଦାସ ଅଧିକାରୀ ସ୍ମୃତିସଂସଦ’ ପକ୍ଷରୁ ସ୍ଥାନୀୟ ବ୍ରିଗେଡ ସୈନିକ ସ୍କୁଲ ପରିସରରେ କବିଙ୍କ ୩ୟ ବାର୍ଷିକ ସ୍ମୃତିଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ କବିତାରେ ଦିବ୍ୟସିଂହଙ୍କ ସ୍ଥାନ ଓ ତାଙ୍କ କାବ୍ୟ ଚେତନାର ଗଭୀରତାକୁ ନେଇ ଅତିଥିମାନେ ଆଲୋକପାତ କରିଥିଲେ। କବିଙ୍କ ଜୀବନ ଓ ସୃଷ୍ଟିକୁ ନେଇସଙ୍କଳିତ ସମୀକ୍ଷା ଗ୍ରନ୍ଥ ‘ଦିବ୍ୟସିଂହ ଦାସ ଅଧିକାରୀ : ସୃଷ୍ଟି ଓ ସମୀକ୍ଷା’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି ପୁସ୍ତକଟିକୁ ଆଗରପଡ଼ା କଲେଜର ଅଧ୍ୟାପକ ଡକ୍ଟର ଅରବିନ୍ଦ ଦାସ ସମ୍ପାଦନା କରିଥିବା ବେଳେ ‘ରଂଗ ପ୍ରକାଶନୀ’ର ପ୍ରକାଶକ ରାଜେଶ କୁମାର ସେଠୀ ଏହାର ପ୍ରକାଶକ ଥିଲେ। ଏହି ଅବସରରେ ବିଶିଷ୍ଟ କବି ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ଦିବ୍ୟସିଂହ ଦାସ ଅଧିକାରୀ କବିତା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଯୋଗଦେଇ କହିଥିଲେ ଯେ, ଦିବ୍ୟସିଂହଙ୍କ କବିତା ମାଟି ଓ ମଣିଷର ଅନ୍ତରଙ୍ଗ ସ୍ୱର। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ କବିଙ୍କ ‘ନଈ ବି କହୁଛି କଥା’ ଓ ‘ଘନିଷ୍ଠ ସମୟ’ ଭଳି ସଙ୍କଳନଗୁଡ଼ିକର କାବ୍ୟିକ ଶୈଳୀ ଓ ସମୟର ସ୍ପନ୍ଦନ ଉପରେ ଚମତ୍କାର ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବର୍ଷିୟାନ ସାରସ୍ୱତ ସଂଗଠକ ଶଚିକାନ୍ତ ନାୟକ ଯୋଗଦେଇ କବିଙ୍କ ବହୁମୁଖୀ ପ୍ରତିଭାକୁ ସ୍ମରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ଅବନୀ କୁମାର ପ୍ରଧାନ, ପି. ହୃଷିକେଶ, ବିଜୟ କୁମାର ବହଳି, ଗୀତାରାଣୀ ଆଇଚ, ଶ୍ରଦ୍ଧାଞ୍ଜଳି ମିଶ୍ର, ଅରୂପାନନ୍ଦ ନାୟକ, ରମେଶ ଚନ୍ଦ୍ର ଦାସ, ଜଗବନ୍ଧୁ ଦାସ ଅଧିକାରୀ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ବିପ୍ଳବ ରଂଜନ ପତିଙ୍କ ସଂଯୋଜନାରେ ସ୍ମୃତିକବିତା ପାଠୋତ୍ସବରେ କବି ବୈକୁଣ୍ଠନାଥ ଓଝା, ଦେବେନ୍ଦ୍ରନାଥ ମହାଳିକ, ସୁରୁଚିପ୍ରଭା ଦାସ, ରୁବିଲତା ଦାସ, ବସନ୍ତ କୁମାର ଦାସ, ବିଶ୍ୱମୈତ୍ରୀ ନାୟକ, ବାବୁରାମ ରାଉତ, ଶଶାଙ୍କ ଶେଖର ପଣ୍ଡା, ସାବିତ୍ରୀ ବାନାର୍ଜୀ, ରୁତୁରାଜ ଅକ୍ଷୟ, ହରିହର ମଳିକ, ଅରୁପାନନ୍ଦ ନାୟକ, ନରହରି ନାୟକ ପ୍ରମୁଖ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଶିକ୍ଷକ ବିସ୍ମୟ ବିହାରୀ ସାହୁ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ କବି ନିରଞ୍ଜନ ବାରିକ୍ ଅତିଥି ପରିଚୟ ଓ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ ଓ କବି ମୁକୁନ୍ଦଦେବ ନାୟକ ମାନପତ୍ର ପାଠ କରିଥିଲେ। ଶିଶୁ ନୃତ୍ୟଶିଳ୍ପୀ ରଚନା ସାହୁ ଏବଂ ରାଜଲକ୍ଷ୍ମୀ ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ। କବିପୁତ୍ର ଶବ୍ଦରଂଜନ ଦାସ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଜିତ୍ ଜେନା, ନୀଳାମ୍ବର ସେଠୀ, ଶୈଳେନ୍ଦ୍ର ନାରାୟଣ, ଲକ୍ଷ୍ମୀକାନ୍ତ ଦାସ, ଆଶୁତୋଷ ଲେଙ୍କା, ପ୍ରକାଶ ପଣ୍ଡା, ଜଗବନ୍ଧୁ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

