ଗୁଣପୁର: ଏକାଠି ହୋଇଛନ୍ତି ୧୦୦ରୁ ଉର୍ଦ୍ଧ୍ବ ମହିଳା । କିଏ ବିଷ୍ଣୁଙ୍କୁ ଗୋବିନ୍ଦା ଗୋବିନ୍ଦା ବୋଲି କହି ଶ୍ଲୋକ ଉଚ୍ଚାରଣ କରୁଥିବା ବେଳେ କିଏ ହରେ କୃଷ୍ଣ ହରେ ରାମ ଶ୍ଲୋକ ଉଚ୍ଚାରଣ କରୁଛି । ଏ ହେଉଛି ରାୟଗଡ଼ା ଜିଲ୍ଲା ଗୁଣପୁର ଭେଙ୍କଟେଶ୍ବର ମନ୍ଦିରର ଦୃଶ୍ୟ । ଏଠାରେ ତେଲୁଗୁ ମହିଳାମାନେ ଏକତ୍ରିତ ହୋଇ ଫୁଲ, ଫଳ, ଧୂପ, ଚନ୍ଦନ, ତୁଳସୀ, ଚୁଡ଼ି, ହଳଦୀ, କୁଙ୍କୁମ୍ ଓ ଶାଢ଼ୀ ଆଦି ବିଷ୍ଣୁଙ୍କ ଫୋଟ ଚିତ୍ରରେ ଅର୍ପଣ କରି ପୂଜା କରୁଛନ୍ତି । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ସ୍ଥାନ । ଦର୍ଶକ ବନ୍ଧୁ ବାର ମାସରେ ତେର ପୂଜା । ଏହି ଉକ୍ତି କେବଳ ଓଡିଆଙ୍କ ପାଇଁ ନୁହେଁ । ତେଲୁଗୁ ସମ୍ପ୍ରଦାୟରେ ମଧ୍ୟ ଦେଖାଯାଏ । ତେଣୁ ଭୀଷ୍ମ ଏକାଦଶୀ ଉପଲକ୍ଷେ ତେଲୁଗୁ ସମ୍ପ୍ରଦାୟର ୧୦୦ରୁ ଉର୍ଦ୍ଧ୍ବ ମହିଳା ଏକାଠି ହୋଇ ବିଷ୍ଣୁ ସହସ୍ର ନାମ ପୂଜା କରିଛନ୍ତି ।
ଏହି ପୂଜା କରିବା ଦ୍ବାରା ସ୍ବାମୀ ଦୀର୍ଘଜୀବି ରହିବା ସହ ପରିବାରର ମଙ୍ଗଳ ହୁଏ, ଏପରିକି ରୋଗବ୍ୟାଧିରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରଖିଛନ୍ତି ମହିଳାମାନେ । ଏଠାରେ ମାଘ ମାସରେ ଭୀଷ୍ମ ଏକାଦଶୀ ପୂଜା କରାଯାଏ । ୪ଟି ଏକାଦଶୀ ମଧ୍ୟରେ ଭୀଷ୍ମ ଏକାଦଶୀ ଅନ୍ୟତମ । ଏହି ପୂଜା କରିବା ଦ୍ବାରା ସମସ୍ତ ପରିବାର ଏକାଠି ହୋଇଥାନ୍ତି । ଏହି ସମୟରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ସମସ୍ତଙ୍କୁ ଏକାଠି କରିବାର ମାଧ୍ୟମ ହେଉଛି ଏହି ପୂଜା । ପୂଜା ପାଇଁ ଏଠାରେ ବହୁ ଭକ୍ତଙ୍କ ସମାଗମ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଲାଗୁଥିଲା ସତେ ଯେମିତି ଏକାକାର ହୋଇପଡ଼ିଛନ୍ତି ଭକ୍ତ ଓ ଭଗବାନ ।

