ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରେ ରହିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରେ ଆରମ୍ଭ ହେବ । କାଲି ଲୋକସଭାରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏଥର କ୍ରମାଗତ ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬- ୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।
ସରକାର ପ୍ରଣୟନ କରିଥିବା ନୂଆ ଆୟକର ଆଇନ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟାକାରୀ ହେବ । ସଂସଦକୁ ସୁରୁଖୁରରେ ଚଳାଇବା ପାଇଁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ । ବଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିବା ବେଳେ ସଂସଦର ବଜେଟ୍ ଅଧିବେଶନରେ ଉଠାଇବା ପାଇଁ ସ୍ଥିର କରିଛନ୍ତି । ସବୁ ପ୍ରସଙ୍ଗର ଉତ୍ତର ଦିଆଯିବ ଓ ସଂସଦକୁ ଭଲରେ ଚଳାଇବା ପାଇଁ ସରକାରଙ୍କ ପକ୍ଷରୁ ବିରୋଧୀଙ୍କୁ ଅନୁରୋଧ କରାଯାଇଛି । ସରକାର ଏହି ଅଧିବେଶନରେ “One Nation, One Election” (ଏକ ଦେଶ, ଏକ ନିର୍ବାଚନ) କିମ୍ବା ସେହିଭଳି କୌଣସି ବଡ଼ ସାମ୍ବିଧାନିକ ପରିବର୍ତ୍ତନ ପାଇଁ ବିଲ୍ ଆଣିପାରନ୍ତି। ଯଦି ଏହା ହୁଏ, ତେବେ ଏହା ଚଳିତ ବର୍ଷର ସବୁଠାରୁ ବଡ଼ ରାଜନୈତିକ ଘଟଣା ହେବ ।

