ନୂଆଦିଲ୍ଲୀ : ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ତ୍ରିରଙ୍ଗା ଲହର । ଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଦୁଇ ବିଦେଶୀ ଅତିଥିଙ୍କ ସହ କର୍ତ୍ତବ୍ୟ ପଥରେ ପହଞ୍ଚିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଉପସ୍ଥିତ ଥିଲେ । ଏହା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି ।
ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରୁ ସାରା ଦୁନିଆ ଦେଖିଲା ଭାରତର ସାମରିକ ଶକ୍ତି । ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କଲେ ଭାରତୀୟ ସେନା । ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ୍ ଦେଖିଲା ବିଶ୍ବ । କର୍ତ୍ତବ୍ୟ ପଥରେ ଅପରେସନ୍ ସିନ୍ଦୂର ଦେଖାଇଲା ସେନା । ଭାରତୀୟ ସେନା ପ୍ରଥମ ଥର ପାଇଁ “ବ୍ୟାଟେଲ୍ ଆରେ ଫର୍ମାଟ୍” ପ୍ରଦର୍ଶନ କରିଛି ।
ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ‘LR-AShM’ ହାଇପରସୋନିକ କ୍ଷେପଣାସ୍ତ୍ ର। ବାୟୁସେନାର ଲଢ଼ୁଆ ବିମାନ ଏବଂ ହେଲିକପ୍ଟର ଆକାଶରେ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ରାଫେଲ୍ ଏବଂ ସୁଖୋଇ-୩୦ ସାମିଲ ଥିଲା । ସାମରିକ ପରେଡ ସହିତ ରାଜ୍ୟ ଏବଂ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ ଗୁଡିକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ଏହି ପରେଡ ଆଧୁନିକ ଭାରତ, ଏକ ବିକାଶଶୀଳ ଭାରତ ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଛି । କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

