ବାଲେଶ୍ୱର (୦୭.୧୧.୨୦୨୬): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଗ୍ରାମୀଣ ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ୫ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏନ୍.ଏଚ୍.-୬୦ (ମିରିଗିମୁଣ୍ଡି) ଠାରୁ ହୁଜା ଦେଇ ଓଲାଡ଼ି ଘାଟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ।

ଏହି ରାସ୍ତାର ଉନ୍ନତିକରଣ ପାଇଁ ସ୍ଥାନୀୟ ଜନସାଧାରଣ ଦୀର୍ଘଦିନ ଧରି ଆଶା ରଖିଥିଲେ। ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧାକୁ ପ୍ରାଥମିକତା ଦେଇ ଏହି ପ୍ରକଳ୍ପକୁ ଆଗେଇ ନିଆଯାଇଛି। ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମିରିଗିମୁଣ୍ଡି, ହୁଜା, ଓଲାଡ଼ି ଘାଟ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହେବେ।

ବିଶେଷକରି ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀ, ରୋଗୀ ଓ ଦୈନନ୍ଦିନ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି, “ଅଞ୍ଚଳବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଆଜି ବାସ୍ତବତାର ରୂପ ନେବାକୁ ଯାଉଛି।

ଏହି ରାସ୍ତାର ଉନ୍ନତିକରଣ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଆଶା ଥିଲା। ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ।” ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉନ୍ନତ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ।

ଏକ ଉନ୍ନତ ରାସ୍ତା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଓ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳ ଓ ମୁଖ୍ୟ ସଡ଼କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ବିଧାୟକ ମତ ପ୍ରକାଶ କରିଥିଲେ। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ, ଉନ୍ନତ ଗମନାଗମନ ବ୍ୟବସ୍ଥା ଓ ଜନସାଧାରଣଙ୍କ ଜୀବନଯାତ୍ରାକୁ ସହଜ କରିବା

ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଏଭଳି ବିକାଶମୂଳକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି। ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିରୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପର୍ଯ୍ୟନ୍ତ ଏହି ଯାତ୍ରା ବାଲେଶ୍ୱର ସଦରର ଗ୍ରାମୀଣ ଭିତ୍ତିଭୂମି ବିକାଶରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ମାରାଣ୍ଡି, ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ବେହେରା ତଥା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

