ନୂଆଦିଲ୍ଲୀ : ଭାରତ ପାଳନ କରୁଛି ଆଜି ୭୭ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ରାଜପଥରେ ପରେଡରେ ଅଧ୍ୟକ୍ଷତା କରିବେ । ଏଥିସହ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ।
ସୂଚନାନୁଯାୟୀ, ଗଣତନ୍ତ୍ର ଦିବସ ପରେଡ୍ ସକାଳ ୧୦ଟା ୩୦ମିନିଟରେ ଆରମ୍ଭ ହେବ ଏବଂ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସହିଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥିସହ ତୋପର ସଲାମୀ ପ୍ରଦାନ କରାଯିବ । ଏହି ପରେଡରେ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ବୀରତା ପୁରସ୍କାର ବିଜେତାମାନେ ମଧ୍ୟ ସାମିଲ ହେବେ ।
ଅନ୍ୟପଟେ ଚଳିତ ବର୍ଷର ଗଣତନ୍ତ୍ର ଦିବସର ବିଷୟବସ୍ତୁ ହେଉଛି “ବନ୍ଦେ ମାତରମର ୧୫୦ ବର୍ଷ”। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତଟି ଚଳିତ ବର୍ଷର ପରେଡ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ପାଲଟିବ ।

