ମୁମ୍ବାଇ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ହୋଇଥିଲା । ସିଙ୍ଗାପୁର ପୋଲିସ ଏବେ କୋର୍ଟକୁ କହିଛି ଯେ, ଜୁବିନ ମଦ୍ୟପାନ କରିଥିଲେ ଏବଂ ସେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ମନା କରିଦେଇଥିଲେ । ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ହଜାର ହଜାର ପ୍ରଶଂସକ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।
ସିଙ୍ଗାପୁର କୋର୍ଟରେ ଏକ ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଜୁବିନ୍ ପ୍ରଥମେ ଏକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ । କିନ୍ତୁ ପରେ ଏହାକୁ କାଢ଼ି ଦେଇଥିଲେ। ଯେତେବେଳେ ତାଙ୍କୁ ଆଉ ଏକ ଲାଇଫ୍ ଜ୍ୟାକେଟ୍ ଦିଆଯାଇଥିଲା, ସେ ମନା କରିଦେଇଥିଲେ । ଜୁବିନ୍ ଗର୍ଗ ବହୁତ ନିଶାଗ୍ରସ୍ତ ଥିଲେ ତେଣୁ ୟାଟ୍ ପାଖକୁ ପହଁରି ଫେରିବାକୁ ଚେଷ୍ଟା କରୁଥିବାର ଉପସ୍ଥିତ ଲୋକ ଦେଖିଥିଲେ । ହେଲେ ତାଙ୍କର ହାତଗୋଡ଼ କାମ କରିବା ବନ୍ଦ କରିଦେଇଥିଲା । ଶେଷରେ ସେ ବୁଡ଼ିଗଲେ ।
ଏହାପରେ ତାଙ୍କୁ ଉଦ୍ଧାର କରି CPR ଦିଆଯାଇଥିଲା, କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଜୁବିନଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ଅଭିଯୋଗକୁ ସିଙ୍ଗାପୁର ପୋଲିସ ଖାରଜ କରିଦେଇଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୫ରେ ଜୁବିନ୍ ଗର୍ଗଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ ବହୁ ଆଶଙ୍କା ଦେଖାଦେଇଥିଲା । ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କର ପ୍ରଶଂସକମାନେ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ । ଫଳରେ ରାଜ୍ୟ ସରକାର ମାମଲା ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

