ଭୁବନେଶ୍ୱର : ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ୧୨ ଡିଗ୍ରୀ ତଳେ ୩୮ ସହର । ଶିମିଳିପାଳରେ ଶୂନ ଡିଗ୍ରୀ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ରାଜଧାନୀରେ ବାଘୁଆ ଜାଡ଼ । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୧୦ ଡିଗ୍ରୀ ଛୁଇଁଛି ପାରଦ । କନ୍ଧମାଳଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
କେବଳ ସେତିକି ନୁ ହେଁ, ପ୍ରଥମ ଥର ପାଇଁ ଚଳିତ ଶୀତ ଋତୁରେ ଓଡ଼ିଶାର ୨୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ୩୮ଟି ସହରର ପାରଦ ୧୨ ଡିଗ୍ରୀ ତଳକୁ ଖସିଛି । କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ । ଆଜି ବି ଶୂନ ଡିଗ୍ରୀକୁ ଖସିଲା ପାରଦ। ଶିମିଳିପାଳ ଓ କୋଇଡ଼ାରେ ତୁଷାରପାତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମହକୁମା ସମେତ ଟେନ୍ ସା, କାଲଟା, ପାଟମୁଣ୍ଡା, ସାନଇନ୍ଦିପୁର, ମାଲଦା, ଜଳଡିହି ପ୍ରଭୃତି ଅଞ୍ଚଳରେ ତୁଷାରପାତ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ନେଇ ପାଣିପାଗ ବିଭାଗର ସୂଚନା ରହିଛି ।

