ବାଲେଶ୍ୱର, ୦୬ା୦୧ା୨୦୨୫ : ରାଜନୈତିକ ଫାଇଦା ଉଠାଇବାକୁ ବିଗତ ବଜେଡି ସରକାର ଅମଳରେ ଅଦୂରଦର୍ଶୀ ନିଷ୍ପତ୍ତି ଯୋଗୁଁ ଲୋକଦେଖାଣିଆ ଭାବେ ଆରମ୍ଭ ହୋଇଥିବା ଏକାଧିକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ତନ୍ମଧ୍ୟରୁ ବାଲେଶ୍ୱର ସହର ଉପକଣ୍ଠ କସିମିଳା ଠାରୁ ନଗ୍ରମ ପଞ୍ଚାୟତର ଅରାଡ ପର୍ଯ୍ୟନ୍ତ ସେତୁ ନିର୍ମାଣ ପ୍ରକଳ୍ପ ଏକ ଜ୍ୱଳନ୍ତ ଉଦାହରଣ । ୨୦୧୯ ସାଧାରଣ ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ ବିଜୁ ସେତୁ ଯୋଜନାରେ ଏହି ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା କହି ଶିଳାନ୍ୟାସ କରାଯାଇଥିଲା । ମାତ୍ର ତତ୍କାଳୀନ ଶାସକ ଦଳ ହାତରୁ ବାଲେଶ୍ୱର ଲୋକସଭା ଆସନ ସହ ସଦର ବିଧାୟକ ପଦ ଚାଲିଯିବା କାରଣରୁ ଠପ୍ ପଡିଯାଇଥିଲା ପୋଲ ନିର୍ମାଣ କାର୍ଯ୍ୟ । ଦୀର୍ଘ ୭ବର୍ଷ ପରେ ପୁଣି ଥରେ ପୋଲ ନିର୍ମାଣ କାର୍ଯ୍ୟ ଆଗେଇବା ନେଇ ସମ୍ଭାବନା ଦେଖାଦେଇଛି । ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଚେଷ୍ଟାରେ ପୋଲ ନିର୍ମାଣ ପାଇଁ କେନ୍ଦ୍ରୀୟ ଜଳ ଆୟୋଗର ଆବଶ୍ୟକୀୟ ଅନାପତ୍ତି ପ୍ରମାଣ ପତ୍ର (ଏନଓସି) ମିଳି ସାରିଛି । ନୂତନ ଟେଣ୍ଡର ପ୍ରକିୟା ମାଧ୍ୟମରେ ପୋଲ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଜନର ବରିଷ୍ଠ ଅଧିକାରୀମାନେ ଏ ନେଇ ଘୋଷଣା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଅରାଡ ଖେଳ ପଡିଆ ଠାରେ ସ୍ଥାନୀୟ ପଂଚାୟତ ଅଧିବାସୀଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଅରାଡ କସିମିଳା ପୋଲ ନିର୍ମାଣରେ ପ୍ରତିବନ୍ଧକ ଭାବେ ଛିଡା ହୋଇଥିବା ସମସ୍ତ ବାଧା ଦୂର ହୋଇସାରିଛି ବୋଲି ସୂଚନା ଦେଇଥିଲେ । ଭାରତୀୟ ଅର୍ନ୍ତଦେଶୀୟ ଜଳମାର୍ଗ ପ୍ରାଧିକରଣର ଏନଓସି ସର୍ତ୍ତ ଅନୁସାରେ ପୋଲର ନୂତନ ଭାବେ ରି-ଡିଜାଇନିଂ ସହ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ସଦର ନିର୍ବାଚନମଣ୍ଡଳୀର ଏକ ବଡ ଭୂଖଣ୍ଡର ଅଧିବାସୀମାନଙ୍କ ଦୀର୍ଘ ଦିନର ଦାବି ଓ ଆବଶ୍ୟକତା ମୁତାବକ ପୋଲ ନିର୍ମାଣ କାର୍ଯ୍ୟ ଖୁବ କମ୍ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ନଗ୍ରମ, ବୁଆଁଳ, ସିନ୍ଧିଆ ପ୍ରଭୃତି ପଂଚାୟତର ଲୋକଙ୍କ ପାଇଁ ବାଲେଶ୍ୱର ସହରକୁ ସିଧାସଳଖ ରାସ୍ତା ଫିଟିବା ସହ ଦୂରତା ଅନେକ ମାତ୍ରାରେ କମିବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସୌଭାଗ୍ୟ କୁମାର ଦାସ ଏହି ସଭାରେ ଉପସ୍ଥିତ ରହି ପୋଲ ନିର୍ମାଣର ଆଗାମୀ ପ୍ରକିୟା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ରେଳ ବିଭାଗର ଆପତ୍ତି ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଥିବା ବେଳେ ଭାରତୀୟ ଅର୍ନ୍ତଦେଶୀୟ ଜଳମାର୍ଗ ପ୍ରାଧିକରଣର ମଞ୍ଜୁରୀ ମିଳି ନଥିବାରୁ ନିର୍ମାଣ କାର୍ଯ୍ୟ ଅଟକି ଯାଇଥିଲା । ସମ୍ପ୍ରତି ପ୍ରାଧିକରଣର ଏନଓସି ମିଳିସାରିଥିବା ବେଳେ ନୂତନ ଡିଜାଇନରେ ୩୦ମିଟର ଲମ୍ବର ଦୁଇଟି ସ୍ପାନକୁ ମିଶାଇ ଷ୍ଟିଲ ଗାର୍ଡର ସହାୟତାରେ ୬୦ମିଟର ଲମ୍ବର ଗୋଟିଏ ସ୍ପାନ କରାଯିବ । ଏହି କାର୍ଯ୍ୟ ପାଇଁ ନୂତନ ଭାବେ ଏଷ୍ଟିମେଟ୍ ଓ ଟେଂଣ୍ଡର ପ୍ରକିୟା ହେବ । ସମସ୍ତ ଆବଶ୍ୟକୀୟ ପ୍ରକିୟା ସରିବା ପରେ ମୋଟାମୋଟି ଦୁଇ ମାସ ମଧ୍ୟରେ ନିର୍ମାଣ ଆରମ୍ଭ ହୋଇଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଅଦୂରଦର୍ଶୀ କାର୍ଯ୍ୟଧାରା ଯୋଗୁଁ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ହୋଇସାରିଥିବା ବେଳେ, ଏବେ ସଦର ବିଧାୟକଙ୍କ ପ୍ରଚେଷ୍ଟା ନଗ୍ରମ, ବୁଆଁଳ, ସିନ୍ଧିଆ ପ୍ରଭୃତି ପଂଚାୟତର ଲୋକଙ୍କ ପାଇଁ ଏକ ବଡ ଖୁସି ଖବର ଆଣି ଦେଇଛି ବୋଲି ଆୟୋଜିତ ସଭାରେ ସ୍ଥାନୀୟ ଅଂଚଳବାସୀ କହିଥିଲେ । ଏହି ନିମନ୍ତେ ତାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରତିଶୃତି ପୂରଣରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୁଗ ଯୁଗକୁ ଉଦାହରଣ ସୃଷ୍ଟି କରି ଦେଇଛନ୍ତି ବୋଲି ସଭାରେ ଅଂଚଳବାସୀ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା ଓ ଆଂଚଳିକ ବିପଣନ କମିଟି ସଭାପତି ସର୍ବେଶ୍ୱର ମହାନ୍ତି, ସରପଞ୍ଚ ବନିତା ଭୂୟାଁ, ସମିତି ସଭ୍ୟ ରଞ୍ଜନ ପାଣି, କାହ୍ନୁ ଚରଣ ମହାଳିକ, ରାଜେଶ ସାହାଣୀ, ଦିଲୀପ ସାହାଣୀ, ହରିଶ ଚନ୍ଦ୍ର ସାହାଣୀ, ସଂଗୀତା ସିଂ, ଶଶୀକାନ୍ତ ରାଉତ, ଅନନ୍ତ ଦଳାଇ, ଉଷା ରାଣୀ ନାୟକ, ଝୁନୁମାଣି ନାୟକ, ଗିରିଶ ଚନ୍ଦ୍ର ନାୟକ, ପଞ୍ଚାନନ ବାଣୁଆ, ବାବୁଲା ବିଶ୍ୱାଳଙ୍କ ସମେତ ବିଭିନ୍ନ ପଂଚାୟତର ତୁଙ୍ଗ ନେତା ଏହି ସଭାରେ ଯୋଗଦେଇ ବିଧାୟକ ଶ୍ରୀ ଦତ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

