ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉଜ୍ଜୈନରେ ନୂଆବର୍ଷ ଆରମ୍ଭରେ ବାବା ମହାକାଳଙ୍କ ଭସ୍ମ ଆଳତି କରାଯାଇଛି । ଦେଶର ହଜାର ହଜାର ଶ୍ରଦ୍ଧାଳୁ ଭସ୍ମ ଆଳତିରେ ସାମିଲ ହୋଇ ନବବର୍ଷର ମଙ୍ଗଳକାମନା କରିଛନ୍ତି । ନୂଆବର୍ଷ ଅବସରରେ ବାବା ମହାକାଳଙ୍କ ଆକର୍ଷଣୀୟ ଶୃଙ୍ଗାର କରାଯାଇଛି । ବାବା ମହାକାଳଙ୍କ ଭସ୍ମ ଆଳତି ପାଇବାକୁ ସମସ୍ତ ବ୍ୟକ୍ତି ବିଶେଷ ନୂଆବର୍ଷରେ ଅପେକ୍ଷା କରି ରହିଥିଲେ । ଏହି ଅବସରରେ ଭାରତୀୟ ମହିଳା କ୍ରିକେଟ ଟିମ୍ ମଧ୍ୟ ବାବାଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ।
ନୂଆବର୍ଷ ଅବସରରେ ବାବା ମହାକାଳଙ୍କୁ ଫୁଲ ଏବଂ ବିଭୂତରେ ସଜା ଯାଇଥିଲା, ଏହହାସହିତ ରୁଦ୍ରାକ୍ଷ ଏବଂ ଡମୁରରେ ମଧ୍ୟ ସଜାଯାଇଥିଲା । ତେବେ ଏହି ଅବସରରେ ବିଶ୍ବ ବିଜେତା ଭାରତୀୟ ମହିଳା କ୍ରିକେଟ ଟିମର ୯ ଖେଳାଳି ଉଜ୍ଜୈନରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ସ୍ମୃତି ମନ୍ଧାନା, ଅରୁଣଦତି ରେଡ୍ଡୀ, ଶେଫାଳି ବର୍ମା, ସ୍ନେହା ରାଣା, ପ୍ରିୟଙ୍କା ପାଟିଲ, ରାଧା ଯାଦବ, ରେଣୁକା ଠାକୁର, ପ୍ରଜ୍ଞା ରାୱତ, ନେନ୍ସୀ ପଟେଲ ଏବଂ ପରିବାର ସଦସ୍ୟ ସାମିଲ ରହିଛନ୍ତି । ସମସ୍ତ ଖେଳାଳି ଉଜ୍ଜୈନର ଦେବ ଦର୍ଶନ କରିଛନ୍ତି । ମହାକାଳଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି ।
ଆଜି ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗର ନୂଆବର୍ଷ ଭିନ୍ନ ଅନ୍ଦାଜରେ ପାଳନ କରାଯାଉଛି । ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସକାଳ ୩ ଟାରୁ ମହାକାଳଙ୍କ ଭକ୍ତିରେ ଲୀନ ହୋଇ ନୂଆବର୍ଷ ଆରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ବାବା ମହାକାଳଙ୍କ ପଞ୍ଚାମୃତ ଅଭିଷେକ ହେବା ସହିତ ଚନ୍ଦନ ପ୍ରଲେପ କରି ସୁଗନ୍ଧିତ ଦ୍ରବ୍ୟ ଚଢାଯାଇଥିଲା । ପଣ୍ଡିତଙ୍କ ଦ୍ବାରା ମନ୍ତ୍ରଚାରଣ କରାଯାଇଥିଲା । ବିଭିନ୍ନ ଫୁଲ ଏବଂ ଆଲୋକମାଳାରେ ସଜ୍ଜା ଯାଇଥିଲା । ୧୧ ହଜାର ଡମ୍ବୁର ଏବଂ ୫ ଲକ୍ଷ ରୁଦ୍ରାକ୍ଷରେ ଆକର୍ଷଣୀୟ ଶୃଙ୍ଗାର କରାଯାଇଥିଲା ।

