ତିହିଡି, ୩୧.୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୂନ ସନ୍ଥପୁରା ଗାଁର ଦୁଇ ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ ଘଟିଛି । ସନ୍ଥପୁରା କାଚରାସାହିର ଶତାୟୁ ପୁରୁଷ ଭୁବନାନନ୍ଦ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୭ ବର୍ଷ ହୋଇଥିବାର ପରିବାର ପକ୍ଷରୁ ସୂଚନା ମିଳିଛି । ବୟସର ଅପରାହ୍ନରେ ପହଂଚି ଥିଲେ ମଧ୍ୟ ନିଜେ କାହାରି ଉପରେ ନିର୍ଭର ନକରି ଚଳପ୍ରଚଳ କରି ଆସୁଥିଲେ। ବିଗତ ୫ ଦିନ ହେଲା ସେ ଶଯ୍ୟାଶାୟୀ ହୋଇ ଯାଇଥିବା ବେଳେ ବୁଧବାର ସକାଳ ପ୍ରାୟ ୯.୩୮ ଘଟିକାରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କର ପୁଅ ସୋମନାଥ ସାହୁଙ୍କ ସମେତ ବୋହୁ, ନାତି ଓ ନାତିନାତୁନି ଉପସ୍ଥିତ ଥିଲେ । ଜଣେ ଧର୍ମ ପରାୟନ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ଦୈନିକ ଜଗନ୍ନାଥ ମନ୍ଦିରର ସେବା ସହିତ ଭାଗବତ ପାରାୟଣ କରି ଆସୁଥିଲେ । ଗାଁରେ ସମସ୍ତଙ୍କର ପ୍ରିୟ ଭାଜନ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଗାଁ ତଥା ଆଖପାଖ ଅଂଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ସେହିପରି ସନ୍ଥପୁରା ବେହେରାସାହିରେ ଭୂଁୟାଧର ବେହେରାଙ୍କ ବୁଧବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସକାଳ ଜଳଖୁଆ ଖାଉଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ତିହିଡି ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ନାରାୟଣ ବେହେରା ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଶ୍ରୀ ବେହେରାଙ୍କ ଏପରି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

