ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ କୋଟିପତି ଜୁନିଅର ଆକାଉଣ୍ଟାଣ୍ଟ। ସୁନ୍ଦରଗଡ ଆସିଷ୍ଟାଣ୍ଟ ମ୍ୟାନେଜର ରବୀନ୍ଦ୍ର କୁମାର ବାରିକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ରବୀନ୍ଦ୍ର କୁମାର ବାରିକଙ୍କ ବାଲେଶ୍ଵରରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ରେଡ୍ କରିଛି ଭିଜିଲାନ୍ସ ।
ଗୋପାଳଗାଁ ସ୍ଥିତ ୩ ହଜାର ୫୫୦ ବର୍ଗଫୁଟର ୩ ମହଲା ବିଶିଷ୍ଟ କୋଠା, ୬ ହଜାର ୩୦୦ ବର୍ଗଫୁଟର ମାର୍କେଟ କମ୍ପେକ୍ସ ସହ ଜିମ୍, ୮ ହଜାର ୯୦୦ ବର୍ଗଫୁଟର ଏକ କଲ୍ୟାଣ ମଣ୍ଡପ, ୪ଟି ଦାମୀ ପ୍ଲଟ, ୧୭୫ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ । ବାଲେଶ୍ଵର ସ୍ଥିତ ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ମଧ୍ୟ ଟିମ୍ ଚଢ଼ାଉ କରିଛି ।
ସେପଟେ ସୁନ୍ଦରଗଡ଼ ସ୍ଥିତ ଶ୍ରୀରାମନଗର ଭଡା ଘର ଓ ଅଫିସ ଉପରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ବାଲେଶ୍ଵରରେ ଯୋଗାଣ ବିଭାଗର ଆକାଉଣ୍ଟାଣ୍ଟ ଭାବରେ ଥିଲେ ରବୀନ୍ଦ୍ର କୁମାର ବାରିକ ଏବଂ ସେ ସୁନ୍ଦରଗଡକୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ବଦଳି ହୋଇ ଆସିଥିଲେ। ଚଢ଼ାଉରେ ୩ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ପୂର୍ବରୁ ରବୀନ୍ଦ୍ରଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଭିଜିଲାନ୍ସ ଡିଏସପି ସୁଧାଂଶୁ ପୁଝାରୀ ।

