ଭୁବନେଶ୍ୱର : ଇନଭେଷ୍ଟର୍ସ ମିଟ ପାଇଁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ରୋଡ- ସୋରେ ଯୋଗ ଦେବେ । ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଏବଂ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ ହାଇଦ୍ରାବାଦ ଗସ୍ତରେ ପହଞ୍ଚିଛନ୍ତି । ଆଜି ରୋଡ୍-ସୋ ଅନୁଷ୍ଠିତ ହେବ । ଓଡ଼ିଶା ନିବେଶକ ସମ୍ମିଳନୀ’ର ପ୍ରଥମ ଦିନରେ ରାଜ୍ୟ ପାଇଁ ବଡ଼ ସଫଳତା ମିଳିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ହିଁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୁଖ୍ୟମନ୍ତ୍ରୀ ଫାର୍ମା, ସ୍ୱାସ୍ଥ୍ୟ ଉପକରଣ, ଗ୍ରୀନ୍ ଏନର୍ଜି, ଅଟୋମୋବାଇଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରଥମ ଦିନର ୧୫ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ୭ଟି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ନିବେଶ ଦ୍ବାରା ଓଡ଼ିଶାରେ ପ୍ରାୟ ୨୦ହଜାର ୨ଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ଶିଳ୍ପ କ୍ଷମତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ନୂଆ ନୂଆ ନିବେଶକଙ୍କୁ ଓଡ଼ିଶା ଆଣିବା ।

