ଏକାଧିକ ବିମାନ ବାତିଲ୍ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)। ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ DGCA ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୋଷୀ ସାବ୍ୟସ୍ତ ହେବା ପରେ, DGCA ଇଣ୍ଡିଗୋର ତତ୍ତ୍ୱାବଧାନ କରୁଥିବା ୪ଜଣ ଉଡ଼ାଣ ପରିଚାଳନା ନିରୀକ୍ଷକଙ୍କୁ ନିଲମ୍ବିତ କରିଛି।ଏହି ସମସ୍ତ ନିରୀକ୍ଷକ ଇଣ୍ଡିଗୋ ବିମାନର ସୁରକ୍ଷା ଏବଂ ପରିଚାଳନା ଯାଞ୍ଚ ପାଇଁ ଦାୟୀ ଥିଲେ। ଯାଞ୍ଚ ଏବଂ ତଦାରଖରେ ଅବହେଳା DGCAକୁ ଏହି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଛି। ଯେଉଁ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନେ ସମସ୍ତେ DGCA ଦ୍ୱାରା ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇଥିଲେ ଏବଂ ବିମାନ କମ୍ପାନୀଗୁଡ଼ିକ, ବିଶେଷକରି ଇଣ୍ଡିଗୋର ସୁରକ୍ଷା ଏବଂ ପରିଚାଳନା ତଦାରଖ କାର୍ଯ୍ୟ କରୁଥିଲେ।

