ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ୍ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି ।ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ଆଜି ଆପଣଙ୍କ ପାଇଁ ସାରା ବିଶ୍ବରେ ଦେଶର ଚର୍ଚ୍ଚା ହେଉଛି । ଏହି ବିଜୟକୁ ଦେଶ ଉତ୍ସବ ରୂପେ ପାଳନ କରୁଛି । ଫାଇନାଲ ମ୍ୟାଚ ଦିନ ମୁଁ ଉତ୍ତରାଖଣ୍ଡରେ ଥିଲି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମୁଁ ନିଶ୍ଚିତ ଥିଲି କି ଦେଶର ଝିଅମାନେ ହିଁ ଏଥର ବିଶ୍ବ ବିଜେତା ହେବେ । ଆପଣଙ୍କ ସାହସ, ସଂକଳ୍ପ, ମାନସିକତା ଏବଂ ବଡି ଲାଙ୍ଗୁଏଜ ହିଁ କହି ଦେଉଥିଲା ବିଜୟର କଥା ।

