ରାଜ୍ୟ

ବୃଦ୍ଧଙ୍କୁ ରାତିରେ କଚାଡ଼ିଲା ହାତୀ, ସକାଳୁ ଗଲା ଜୀବନ

Spread the love

ଭୁବନେଶ୍ବର: ଗଜରାଜ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରକୃତି କୋଳରେ ଜଙ୍ଗଲର ଅବସ୍ଥା ଆଉ ପୂର୍ବଭଳି ନଥିବାରୁ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସୁଥିବା ହାତୀମାନେ ଏହାରି ମଧ୍ୟରେ ଦୁର୍ଘଟଣା ଓ ଅଘଟଣର ଶିକାର ହେଉଥିବା ବେଳେ ମଣିଷ ଦେଖିଲେ ଉଗ୍ରରୂପ ମଧ୍ୟ ଧାରଣ କରୁଛନ୍ତି। କିଛି ବର୍ଷ ହେଲା ହାତୀ ଏବଂ ମଣିଷ ମଧ୍ୟରେ ଏକପ୍ରକାରର ଅଘୋଷିତ ଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହାତୀକୁ ନେଇ ଚିନ୍ତାଜନକ ଖବର ହସ୍ତଗତ ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ନିକଟରେ ଥିବା ରେଳଧାରଣାରେ ଦ୍ରୁତଗାମୀ ଏକ୍ସପ୍ରେସ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ସୁକଯୋଡି ଜଙ୍ଗଲର ଧାନଘେରା ଗାଁ ନିକଟରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଯୋରରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରାଉରକେଲା: ହାତୀ-ମଣିଷ ଲଢ଼େଇରେ ରାଉରକେଲାରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଯୋର ପଞ୍ଚାୟତରେ ହାତୀ ଆକ୍ରମଣରେ ରୁପନ୍ ସମାସି (୬୩)। ଗତକାଲି ବିଳମ୍ବିତ ରାତିରେ ରୂପନ୍ ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇଥିଲେ। ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଗତ ସେପ୍ଟେମ୍ବର ୨୬ ତାରିଖରେ ମଧ୍ୟ ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ମଧ୍ୟ ଦନ୍ତା ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି। ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ହାତୀ ପ୍ରତି ସତର୍କ ରହିବାକୁ ପ୍ରଚାର କରା ଯାଉଛି। ଦୁଇ ଦିନ ପୂର୍ବରୁ ବନ୍ଧମୁଣ୍ଡା ପ୍ରେମନଗର ଅଞ୍ଚଳ ରେଳଲାଇନ୍ ଉପରେ ଥିବା ହାତୀ ଦଳ ଏବେ ଲାଠିକଟା ଅଞ୍ଚଳକୁ ପଳାଇ ଆସିଛନ୍ତି। ଏହି ଦଳରୁ ଗୋଠଛଡା ହୋଇ ଏହି ଦନ୍ତା ମୁଣ୍ଡାଯୋର, ଦୋଲକୁଦର୍ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି।

Leave a Reply

Your email address will not be published. Required fields are marked *