ରାଜ୍ୟ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନଙ୍କୁ ଛାଡ଼ିଲା ପୁଲିସ

Spread the love

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୁଲିସ | ଗତକାଲି ତାଙ୍କୁ ବିଳମ୍ବିତ ରାତିରେ ଛାଡ଼ିଥିବା ସୂଚନା ରହିଛି | ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ| ତଦନ୍ତରେ ସହଯୋଗ କରୁଥିବା କହୁଛି ପୁଲିସ | ବିକ୍ରମଙ୍କ ଆର୍ଥିକ କାରବାର ନେଇ ଜେରା କରିଥିବା ସୂଚନା ରହିଛି।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ପୀତବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁକୁ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଦର୍ଶାଇଛି। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ହତ୍ୟା ଷଡ୍‌ଯନ୍ତ୍ର ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଭୂମିକା ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି। ପୀତବାସଙ୍କୁ ହତ୍ୟା କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ହିଞ୍ଜିଳିର ବିପିନ ସ୍ବାଇଁ ବିହାରୀ ସାର୍ପସୁଟର୍‌ ଶିଶୁପାଳ କୁମାର ପାଶ୍‌ୱାନ ଓ କୁନ୍ଦନ କୁମାରଙ୍କୁ ଯୋଗାଡ଼ କରିଥିଲା। ସେମାନେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳର ଶୂନ୍ୟ ଦାସଙ୍କ ଘରେ ଭଡ଼ାରେ ରହିଥିଲେ। ହିଞ୍ଜିଳିର ବିପିନ ଓ ବଡ଼ଗଡ଼ର ସୀମାଞ୍ଚଳ ନାୟକ ଏମାନଙ୍କ ସହ ମିଶି ରେକି କରିଥିଲେ। ଦୈନନ୍ଦିନ ପୀତବାସଙ୍କ ଘରୁ କୋର୍ଟ ଓ ସନ୍ଧ୍ୟାରେ ପାର୍କସାହିସ୍ଥିତ ଚାମ୍ବର୍‌ ଯିବାଆସିବା ସମୟକୁ ସେମାନେ ଟ୍ରାକ୍‌ କରି ଉଚିତ ସମୟ ବାଛିଥିଲେ। ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତ ଏମାନଙ୍କୁ ମଳୟ ବିଷୋୟୀଙ୍କ ସହଯୋଗରେ ଅଳକାପୁରୀର ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିବା ବ୍ୟବସ୍ଥା କରିଥିଲେ। 

Leave a Reply

Your email address will not be published. Required fields are marked *