ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ କଳାକୃତି: ଦୀପାବଳିରେ ରାଜଧାନୀ ରାସ୍ତା କଡ଼ରେ ନିଆରା ଦୀପର ପସରା ମେଳାଇଛନ୍ତି ବାଲେଶ୍ବରର ଶିଳ୍ପୀ ପ୍ରିୟଙ୍କା
ଭୁବନେଶ୍ବର: ଦୀପାବଳିରେ ଦୁଇଟି ଜିନିଷର ଚାହିଦା ଅଧିକ ଥାଏ । ଗୋଟିଏ ହେଉଛି ବାଣ ଏବଂ ଅନ୍ୟଟି ହେଉଛି ଦୀପ । ପୂର୍ବରୁ କେବଳ ମାଟିର ଦୀପ ମିଳୁଥିବା ବେଳେ ଏବେ କିନ୍ତୁ ବଜାରରେ ଭଳିକି ଭଳି ଦୀପ ମିଳିଲାଣି । କିଏ ରଙ୍ଗୀନ ଦୀପ କିଣିବାକୁ ପସନ୍ଦ କରୁଥିବା ବେଳେ ପୁଣି କିଏ ଧୂଆଁବିହୀନ ଦୀପ ପାଇଁ ବଜାରରେ ଭିଡ ଲଗାଉଛି । ଆଉ ଏତିକି ବେଳେ ଦୀପରେ ଏକ ଭିନ୍ନ ସ୍ପର୍ଶ ଦେଇ ରାଜଧାନୀ ରାସ୍ତା କଡରେ ଦୀପର ପସରା ମେଳାଇଛନ୍ତି ବାଲେଶ୍ବରର ମହିଳା ପ୍ରିୟଙ୍କା ଦାସ । ଆମେ ଯେଉଁ ଜିନିଷ ଘରୁ ଫିଙ୍ଗି ଦେଉଛେ କିମ୍ବା ଅଦରକାରୀ ଭାବି ଅଣଦେଖା କରୁଛେ ସେହି ଜିନିଷ ଯଦି ଜଣେ କାରିଗର ହାତରେ ପଡେ କିମ୍ବା ଶିଳ୍ପୀର ନଜରକୁ ଆସେ ତେବେ ସେହି ଅଦରକାରୀ ଜିନିଷଟି ଦରକାରୀ ପାଲଟିଯାଏ । ଯାହା ପ୍ରିୟଙ୍କାଙ୍କ ହାତର ଯାଦୁରେ ନୂଆ ରୂପ ପାଇଛି ଆଉ ସେହି ରୂପ ଦୀପ ହେଇ ଆଜି ଘରେ ଘରେ ଜଳୁଛି । ଆଜିର ଯୁଗ ବୈଜ୍ଞାନିକ ଯୁଗ । ଘରେ ଘରେ ବିଜ୍ଞାନର ଅବଦାନ, ଯେମିତି କି ଟିଭି, ଫ୍ରୀଜ୍, ଫ୍ୟାନ , ଓ୍ଵାସିଂମେସିନ, ଏସି । ଥରେ ଭାବିଲେ, ଏ ସବୁ ନିତ୍ୟ ଆବଶ୍ୟକ ସାମଗ୍ରୀ ଆମ ଘରକୁ କେମିତି ପ୍ୟାକ ହେଇ ଆସିଥାଏ ? କିଛି ବଡ଼ ଆକାରର କାର୍ଟୁନରେ ଯାହାକୁ ଆମେ ବ୍ୟବହାର ପରେ ଷ୍ଟୋରରୁମରେ ଗଦା କରିଥାଉ, ନହେଲେ ଛୁଟି ଦିନ ଦେଖି ଘରୁ ଅଳିଆ ହଟେଇ କବାଡି ବାଲାକୁ କିଛି ପଇସାରେ ବିକ୍ରି କରିଦେଉ ।