ରେଳବାଇ ବୋର୍ଡ ଜରୁରିକାଳୀନ ପ୍ରକୋଷ୍ଠରେ ଯାତ୍ରୀ ପରିବହନ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ
- 24 ଘଣ୍ଟିଆ ପ୍ରୟାସ ପାଇଁ ରେଳ କର୍ମଚାରୀଙ୍କୁ କଲେ ପ୍ରଶଂସା, ଦୀପାବଳିର ଜଣାଇଲେ ଶୁଭେଚ୍ଛା
- ଭାରତୀୟ ରେଳବାଇ ଅକ୍ଟୋବର 1 ରୁ 19 ମଧ୍ୟରେ ସ୍ୱତନ୍ତ୍ର ଟ୍ରେନରେ 1 କୋଟିରୁ ଅଧିକ ଯାତ୍ରୀଙ୍କ ପାଇଁ ଯୋଗାଇଛି ଯାତ୍ରା ସୁବିଧା; ଏକ ଆରାମଦାୟକ ଉତ୍ସବ ଯାତ୍ରା ସୁନିଶ୍ଚିତ କରିବା ପାଇଁ ହୋଲ୍ଡିଂ ଏରିଆ, ଅତିରିକ୍ତ ଟିକେଟ କାଉଣ୍ଟର, ସଫା ଶୌଚାଳୟ ଏବଂ ପାନୀୟ ଜଳ ସହିତ ଭିଡ଼ ପରିଚାଳନାକୁ କରାଗଲା ସୁଗମ
- ପାର୍ବଣ ଋତୁର ଯାତ୍ରା ଚାହିଦା ପୂରଣ କରିବା ପାଇଁ ଭାରତୀୟ ରେଳବାଇ ଅକ୍ଟୋବର 1 ରୁ 19 ମଧ୍ୟରେ 3,960ଟି ସ୍ୱତନ୍ତ୍ର ଟ୍ରେନ ସଫଳତାର ସହ ପରିଚାଳନା କରିଛି; ଦୀପାବଳି ଏବଂ ଛଠ୍ ଯାତ୍ରା ଚାହିଦା ପୂରଣ କରିବା ପାଇଁ 8,051 ଅଧିକ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା
- ଉତ୍ତର (1919), କେନ୍ଦ୍ରୀୟ (1998), ଏବଂ ପଶ୍ଚିମ ରେଳବାଇ (1501) ସମସ୍ତ ଜୋନରେ ସର୍ବାଧିକ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ ସହିତ ପାର୍ବଣ ଯାତ୍ରୀ ପରିଚାଳନାରେ ଅଗ୍ରଣୀ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ବୋର୍ଡର ଜରୁରିକାଳୀନ ପ୍ରକୋଷ୍ଠ ପରିଦର୍ଶନ କରି ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କରିଛନ୍ତି। ସେ କର୍ମଚାରୀମାନଙ୍କୁ ଦିନରାତି କାମ କରିବା ପାଇଁ ପ୍ରଶଂସା କରିଥିଲେ ଏବଂ ଦୀପାବଳି ଅବସରରେ ସେମାନଙ୍କୁ ଶୁଭକାମନା ଜଣାଇଥିଲେ।
ଚଳିତ ପାର୍ବଣ ଋତୁରେ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ ବ୍ୟାପକ ବ୍ୟବସ୍ଥା କରିଛି। ଦୁର୍ଗା ପୂଜା, ଦୀପାବଳି ଏବଂ ଛଠ୍ ସମୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳବାଇ 12,011 ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି, ଯାହା ଗତ ବର୍ଷ ସମାନ ସମୟରେ ପରିଚାଳିତ 7,724 ଟି ଟ୍ରେନ ତୁଳନାରେ ଢେର୍ ଅଧିକ।
ପାର୍ବଣ ଭିଡ଼ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରୁଛି। ନିୟମିତ ଟ୍ରେନ ସେବା ବ୍ୟତୀତ, ପାର୍ବଣ ସମୟରେ ବର୍ଦ୍ଧିତ ଯାତ୍ରା ଚାହିଦା ପୂରଣ କରିବା ପାଇଁ ରେଳବାଇ 1 ଅକ୍ଟୋବରରୁ 19 ଅକ୍ଟୋବର 2025 ମଧ୍ୟରେ 3,960 ଟି ସ୍ୱତନ୍ତ୍ର ଟ୍ରେନ ସଫଳତାର ସହ ଚଳାଚଳ କରିଛି।
ଦୀପାବଳି ଏବଂ ଛଠ୍ ପାଇଁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଆଗାମୀ ଦିନରେ ପ୍ରାୟ 8,000 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା କରିବାକୁ ଯୋଜନା କରିଛି।
ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଭାରତୀୟ ରେଳବାଇର ସମସ୍ତ ଜୋନରେ ଚଳାଚଳ କରୁଛି, ଯେଉଁଥିରେ ଉତ୍ତର ରେଳବାଇ (1919 ଟ୍ରେନ୍), କେନ୍ଦ୍ରୀୟ ରେଳବାଇ (1918 ଟ୍ରେନ୍), ଏବଂ ପଶ୍ଚିମ ରେଳବାଇ (1501 ଟ୍ରେନ୍) ସର୍ବାଧିକ ସଂଖ୍ୟକ ଚଳାଚଳ କରୁଛି। ପୂର୍ବ କେନ୍ଦ୍ରୀୟ ରେଳବାଇ (1217) ଏବଂ ଉତ୍ତର ପଶ୍ଚିମ ରେଳବାଇ (1217) ସମେତ ଅନ୍ୟାନ୍ୟ ଜୋନ୍ ମଧ୍ୟ ଆଞ୍ଚଳିକ ଯାତ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ସେବା କାର୍ଯ୍ୟକ୍ଷମ କରିଛନ୍ତି। ଏହି 12,011 ଟ୍ରେନ୍ର ଜୋନ୍-ୱାରି ସଂଖ୍ୟା ନିମ୍ନରେ ଦିଆଗଲା: