ରାଜ୍ୟ

ବାଲେଶ୍ଵର ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସଦର ବିଧାୟକ ମାନସ ଦତ୍ତ, ଗତ ବନ୍ୟାରେ କ୍ଷୟକ୍ଷତି ପାଇଁ ଜିଲ୍ଲାକୁ ମିଳିଛି ୬ କୋଟି ୮୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା

Spread the love

ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ନେଇ ସରକାରଙ୍କ ପଦକ୍ଷେପ ଉପରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶେଷ ଭାବେ ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ବିବରଣୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ବାଲେଶ୍ବର ଜିଲ୍ଲା ସମେତ ଭୋଗରାଇ, ଜଳେଶ୍ବର ଓ ବାଲିଆପାଳ ଅଞ୍ଚଳରେ ପ୍ରତିବର୍ଷ ଆସୁଥିବା ବନ୍ୟା ପ୍ରଭାବରୁ ଅଞ୍ଚଳବାସୀମାନଙ୍କର ଧନଜୀବନକୁ ସୁରକ୍ଷିତ ପାଇଁ ସ୍ଥାୟୀ ପ୍ରତିକାର ପାଇଁ ନଦୀ ବନ୍ଧ ପୁନରୁଦ୍ଧାର ସୁରକ୍ଷା, ବନ୍ଧର ଉଚ୍ଚତା ବୃଦ୍ଧି ଓ ସୁଦୃଢ଼ୀକରଣ, ଉଚ୍ଚସ୍ତରୀୟ ସ୍ପର ନିର୍ମାଣ ଓ ପ୍ୟାକିଂ ପ୍ରଭୃତି ବିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଗୋବରା ଖାଳ, ଚୁମରା ନାଳ, ଦିଗାଁସୋଲ ନାଳ, ମୂଲିଆ ଖାଳ, ଭଗବତୀ ନାଳ, ବେଗୁନିଆ ଗୋହିରା ନାଳ, ବଡଖଳ ମହାବିଲ ପାଟ, ଅନିଦିଆ ଖାଳ, ପଚା ନାଳ, ନାଉରିଆ ନାଳ, ଗୋପ ଖାଳ, ନମୋ ବନିନ୍ଦା ନାଳ, ଶାଖା ନାଳ ନମୋ ବନିନ୍ଦା, ଅସୁର ଡିହ ନାଳ, ଆଶା ନାଳ, ଗୁଡିଖାଲ ନାଳ, କୁଙ୍କୁଡି ନାଳ, ହାତିମରା ନାଳ, ବଡ ଚାରିଗାଁ ନାଳ, ଗଡଖାଳ ନାଳ, କଚୁଆ ନାଳ, ଆମ୍ବଚୁଆ ନାଳ, ଡେମୁରିଆ ନାଳ, ମାନ୍ଧାତା ନାଳ ଗୁଡ଼ିକର ରକ୍ଷଣାବେକ୍ଷଣ ସହ ବିଭିନ୍ନ ସମୟରେ ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ଯ କରାଯାଉଛି। ଅନୁରୂପ ଭାବେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ମାଧ୍ଯମରେ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକର ଜଳ ନିଷ୍କାସନ କାର୍ଯ୍ୟ କରିବା ପାଇଁ ପଥୁରେଶ୍ବର ନାଳ, ଭଣ୍ଡାରିଆ ନାଳ ଏବଂ ରଣକୋଠା ନାଳର ସମ୍ପ୍ରସାରଣ ଏବଂ ଭଣ୍ଡାରିଆ ନାଳ ଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ସିଧାସଳଖ ଜଳ ନିଷ୍କାସନ ଭଳି ୨ ଗୋଟି ପ୍ରସ୍ତାବ ବୈଷୟିକ ଅନୁମୋଦନ ଲାଭ କରିଛି । ଅନ୍ୟପକ୍ଷରେ ପଥୁରେଶ୍ବର ନାଳ, ଭଣ୍ଡାରିଆ ନାଳ ଏବଂ ରଣକୋଠା ନାଳର ପ୍ରାଥମିକ ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ କରାଯାଇ ଆବଶ୍ୟକ ପଡୁଥିବା ୩୭.୭୭ ହେକ୍ଟର ଜମି ଅଧିଗ୍ରହଣ ନିମନ୍ତେ ଜମିର ରେକର୍ଡ଼ ପତ୍ର ସଂଗ୍ରହ କରାଯାଇ, ତହସିଲଦାର, ଭୋଗରାଇଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜମିର ସଠିକ ଆକଳନ ଏବଂ ଆନୁସଙ୍ଗିକ ଜଳବିଜ୍ଞାନ ରୂପରେଖ ଓ ବନ୍ୟାର ପରିମାଣ ଆକଳନ ନିମନ୍ତେ ଓରସାକ ଦ୍ବାରା ସର୍ଭେ ଅକ୍ଟୋବର ମାସରୁ ଆରମ୍ଭ କରାଯିବ । ଇତି ମଧ୍ୟରେ ଏହି ପ୍ରକଳ୍ପ ଅଧୀନରେ ଆବଶ୍ୟକୀୟ ୨୪ ଗୋଟି ସଂରଚନାର ନିର୍ମାଣ କରିବାକୁ ଭୂ-ପ୍ରଯୁକ୍ତି ବିଦ୍ୟା ସର୍ଭେ ସହ ନକ୍ସା କରାଯାଉଛି । ଏହି ସଂରଚନା ଗୁଡିକ ୪ଟି ପ୍ୟାକେଜରେ କରିବାକୁ ପଦକ୍ଷେପ ନିଆଯାଉଛି ଏବଂ ଏହାର ଟେଣ୍ଡର ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଆଗାମୀ ୩ ମାସ ମଧ୍ୟରେ ଶେଷ କରା‌ଯିବ ଏବଂ ତାହା ପରେ କାର୍ଯ୍ୟ ହାତକୁ ନିଆଯିବ । ଦ୍ଵିତୀୟ ପ୍ରସ୍ତାବଟିର ପ୍ରଶାସନିକ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ତେବେ ବିଗତ କିଛି ମାସ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ ହୋଇଥିବା ବନ୍ୟାରେ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାକୁ କେଉଁ ଶୀର୍ଷରେ କେତେ ଅର୍ଥ ସହାୟତା ତଥା ଜୁଲାଇ ମାସରେ ପ୍ରସ୍ତାବିତ ଏଫଡିଆର ମଞ୍ଜୁର ନହେବାର କାରଣ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଅନ୍ୟ ଏକ ପ୍ରଶ୍ନ ପଚାରିଥିଲେ। ଏହା ସହିତ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀକୁ ଏଫଡିଆର ପାଇଁ କେତେ ଅର୍ଥ ପ୍ରଶାସନ ପକ୍ଷରୁ ମଗାଯାଇଛି ଏବଂ କେବେ ସୁଦ୍ଧା ସେହି ଅର୍ଥ ପ୍ରଦାନ ହେବ ସେ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ରାଜସ୍ବ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ବାଲେଶ୍ବର ଜିଲ୍ଳାକୁ ସର୍ବମୋଟ ୬ କୋଟି ୮୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ଜୁଲାଇ ମାସରେ ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାଇଁ ରାସ୍ତା ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ମରାମତି ଓ ପ୍ରାଥମିକ ବିଦ୍ୟାଳୟ ମରାମତି ବାବଦକୁ ୫ କୋଟି ୮୮ଲକ୍ଷ ଟଙ୍କା ପ୍ରସ୍ତାବ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରକଳ୍ପ ରିପୋର୍ଟ ଅନୁଧ୍ୟାନ କରି ମରାମତି ପ୍ରସ୍ତାବକୁ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *