ବାଲେଶ୍ୱର, ୬ ନଭେମ୍ବର ୨୦୨୬: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ, ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଅନ୍ତର୍ଗତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଓଲନ୍ଦା ସାରଗାଁ ଗ୍ରାମ ପଞ୍ଚାୟତସ୍ଥିତ ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସାମିଲ ହୋଇଛି।

ଏହି ଉପଲକ୍ଷେ ଆୟୋଜିତ ସ୍ଥାନୀୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିର ଉନ୍ନତୀକରଣ ସହ ଆଧୁନିକ ଶିକ୍ଷା ଉପଯୋଗୀ ପରିବେଶ, ଉନ୍ନତ ସୁବିଧାସୁଯୋଗ ଏବଂ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ବିଶେଷକରି ଗ୍ରାମାଞ୍ଚଳର ପିଲାମାନେ ନିଜ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାର ସୁବିଧା ପାଇବେ।

ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ ଯେ, “ଶିକ୍ଷା ହେଉଛି ଏକ ସମୃଦ୍ଧ ସମାଜ ଓ ବିକଶିତ ରାଜ୍ୟ ଗଠନର ମୂଳଦୁଆ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ବାଲେଶ୍ୱର ସଦରର ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହେବା ଆମ ଅଞ୍ଚଳର ଶିକ୍ଷା ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

ଏହା ଆଗାମୀ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ।” ବିଧାୟକ ଶ୍ରୀ ଦତ୍ତ ଏହି ଜନହିତକର ଯୋଜନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ବାଲେଶ୍ୱର ସଦର ଅଞ୍ଚଳରେ ଶିକ୍ଷାର ବିକାଶ ଓ ଉନ୍ନତ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ନିଜର ପ୍ରତିବଦ୍ଧତା

ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଆରତୀ ଦାସ, ରବିନାରାୟଣ ପ୍ରଧାନ, ବୃନ୍ଦାବତୀ ପ୍ରଧାନ, ଜିତେନ ଜେନା, ସମିତିସଭ୍ୟା ରଶ୍ମିତା ନାୟକ, ଶିକ୍ଷା ଅଧିକାରୀ ବୃନ୍ଦ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

