ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନରେ ଉଚ୍ଚସ୍ତରୀୟ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ । ଇଣ୍ଡିଆ ଟ୍ରେକ୍ ଫର ଗ୍ଲୋବାଲ ଲିଡର୍ସ କାର୍ଯ୍ୟକ୍ରମରେ ଭାରତ ଆସିଥିବା ୨୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ପ୍ରତିନିଧି ଦଳ କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳ କିଟ୍ ଓ କିସ୍ ପରିଦର୍ଶନ ପାଇଁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ।
ପ୍ରତିନିଧିମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ବ୍ୟାଙ୍କିଂ, ଆଇଟି ଆଦି କ୍ଷେତ୍ରରେ ଇସ୍ରାଏଲ୍ର ବହୁ ବିଶ୍ୱସ୍ତରୀୟ ପ୍ରତିଷ୍ଠିତ ବ୍ୟକ୍ତି କିଟ୍ ଓ କିସ୍ ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ପୂର୍ବରୁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ମାଧ୍ୟମରେ ସମାଜର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ବିଷୟରେ ସେମାନେ ଅବଗତ ଥିଲେ । କିଟ୍ ଓ କିସ୍ ପରିଦର୍ଶନ କରି ସେମାନେ ଅଭିଭୂତ ହୋଇପଡ଼ିଥିଲେ । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେମାନେ କହିଲେ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ କିସ୍ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଢ଼ି ପାରିବେ । ଦୁନିଆରେ ଅନେକ ଲୋକଙ୍କ ପାଖରେ ଭଲ ବିଚାର ଓ ବଡ଼ ସ୍ୱପ୍ନ ରହିଛି । କିନ୍ତୁ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବାର କ୍ଷମତା ଖୁବ୍ କମ୍ ଲୋକଙ୍କ ପାଖରେ ଥାଏ । ଡ. ଅଚ୍ୟୁତ ସାମନ୍ତ ଏହାର ଏକ ଉଦାହରଣ ।
ଶିକ୍ଷା, ମାନବସେବା ଓ ଅବହେଳିତ ସଂପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ଡ. ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ହାର୍ଭାର୍ଡ କ୍ଲବ୍ ଅଫ୍ ଇସ୍ରାଏଲ ଏବଂ ଇସ୍ରାଏଲ୍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥିମାନେ ଡ. ସାମନ୍ତଙ୍କ ଦୂରଦୃଷ୍ଟି ଓ ମାନବସେବାକୁ ଉଚ୍ଚ ପ୍ରଶଂସା କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି କ୍ରମେ ଏମାନେ ଭାରତ ପରିଦର୍ଶନ କରୁଛନ୍ତି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏମାନଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଥାନ୍ତି ।
ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । କିଟ୍ ଓ କିସ୍ ରେ ରହଣି ସମୟରେ ସେମାନେ ଏଠାକାର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ । ସ୍ୱାଗତ ଭାଷଣ ଦେଇ ଡ. ସାମନ୍ତ କହିଲେ, ଇସ୍ରାଏଲ୍ରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନ କରିବା ଗୌରବର ବିଷୟ । ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଙ୍କ ସମେତ କିଟ୍ ଓ କିସ୍ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

