ତିହିଡ଼ି, ୨୬.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସଂପ୍ରତି ୪ର୍ଥ ଥର ବନ୍ୟା ଦେଖା ଦେଇଛି ।

ବୈତରଣୀ ଓ ସାଳନ୍ଦି ନଦୀର ଉଚ୍ଛୁଳା ବର୍ଷା ଏପରି ସୃଷ୍ଟି କରିଛି ଏବଂ ଏହି ପଞ୍ଚାୟତର ୪ଟି ପଞ୍ଚାୟତ ଗାଁ ରାସ୍ତାରେ ବନ୍ୟା ଜଳ ଲହଡି ମାରୁଛି । କିଛିଦିନ ଧରି ପ୍ରବଳ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି ।ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୪ ପଞ୍ଚାୟତ ପ୍ରଭାବିତ ହୋଇଛି । ଏହି ବନ୍ୟାକୁ ଲଗାଇ ବ୍ଲକରେ ୪ର୍ଥ ଥର ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ବନ୍ୟା ଫଳରେ କେତକ ଗ୍ରାମ ରାସ୍ତାରେ ବନ୍ୟା ପାଣି ସୁଅ ଚାଲିଛି । ବନ୍ୟା ପାଣି ବଢ଼ିବାରେ ଲାଗିଥିବାରୁ ରବିବାର ସୁଦ୍ଧା ଅଧିକ ୪ପଞ୍ଚାୟତ ଜଳମଗ୍ନ ହେବାର ଆଶଙ୍କା ରହିଛି । ସେହିସବୁ ପଞ୍ଚାୟତର ବିଭିନ୍ନ ଗ୍ରାମ ରାସ୍ତାରେ ବନ୍ୟାପାଣି ସୁଅ ଛୁଟୁ ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଖବର ପାଇ ତିହିଡି଼ ବିଡ଼ିଓ ନିରଞ୍ଜନ ବାରିକ ଶନିବାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ତଳିଆ ଅଞ୍ଚଳରେ ଥିବା ବିପନ୍ନମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲରେ ଥଇଥାନ କରିବାକୁ ସେ ସେହିସବୁ ପଞ୍ଚାୟତର ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ରବିବାର ଠାରୁ ଆଶ୍ରୟକସ୍ଥଳରେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ ବାରିକ ସୂଚନା ଦେଇଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନରେ ବିଡ଼ିଓ ବାରିକଙ୍କ ସହିତ ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ପିଇଓ ଶୁଭ୍ରାଂଶୁ ଶେଖର ତ୍ରିପାଠୀ ଉପସ୍ଥିତ ଥିଲେ । ସାଳନ୍ଦୀ ନଦୀରେ ବନ୍ୟା ଆସିବା ଯୋଗୁଁ ବୋଡ଼କ ପଞ୍ଚାୟତର ଜେନାସାହି, ଓରାଳି, ହଟ୍ଟନଗର, ଭଞ୍ଜସାହି, ଖରିଦାପାଟଣା ଓ ଅଣ୍ଡରାଇ, ବିଲଣା ପଞ୍ଚାୟତର ବିଲଣା ଶାସନ, କେରଡ଼ିହ, ଲଞ୍ଜାତରା, ବାସନ୍ତୀନଗର, ବାରୋ ପଞ୍ଚାୟତର ରାଧାନଗର, ଚବିଶପଡ଼ା, ଖାଲସା, ବଳିଆରପୁର, ହାଟସାହି, କଲ୍ୟାଣ ନଗର, ତଳଗୋପବିନ୍ଧା ପଞ୍ଚାୟତର ମହାଳିକ ସାହି, ହଟନଗର, ନାଥପଡ଼ା, ତିଆଡ଼ିସାହି, ନରସିଂହପୁର, ମାତ୍ତଗଜପୁର ଇତ୍ୟାଦି ଗ୍ରାମସବୁ ପାଣି ଘେରରେ ରହିଥିବା ଜଣାଯାଇଛି । ସେହିସବୁ ଗ୍ରାମ ରାସ୍ତା ଉପରେ ବନ୍ୟା ପାଣି ସୁଅ ଛୁଟୁଛି । ସେହିପରି ରବିବାର ସୁଦ୍ଧା ବୈତରଣୀ ନଦୀରେ ଆସିଥିବା ବନ୍ୟା ଶ୍ୟାମସୁନ୍ଦରପୁର, କାଁପଡ଼ା, ବାରସର ଓ ଗୋବିନ୍ଦପୁର ପଞ୍ଚୟତ ଜଳମଗ୍ନ କରିବା ଆଶଙ୍କା ଥିବାରୁ ସେହିସବୁ ପଞ୍ଚାୟତର ଅଧିବାସୀମାନେ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି ।

