ତିହିଡ଼ି, ୨୬.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେପି ସାହାଡା ସୁନ୍ଦରୀ ମଣ୍ଡଳ ସଭାପତି କେଶବ ବେହେରାଙ୍କ ଆକ୍ରମଣ ଘଟଣାରେ ୮ମାସ ପରେ ପୋଲିସ ଶନିବାର ବଉଳପାଳ ଗ୍ରାମର ଲିଟୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାରେ ସମ୍ପୃକ୍ତ ମାନସ ରଞ୍ଜନ ତ୍ରିପାଠୀ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ଗତ ଫେବୃଆରୀ ୯ତାରିଖ ରାତିରେ ମଦ ପିଇବାକୁ ଟଙ୍କା ନଦେବାରୁ ସାହାଡ଼ାଶୁଣି ମଣ୍ଡଳ ସଭାପତି କେଶବ ବେହେରା ଓ ତାଙ୍କ ବନ୍ଧୁ ଗଣେଶ ଚନ୍ଦ୍ର କରଙ୍କୁ ଦୁଇ ଜଣ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ କେଶବ ଓ ଗଣେଷ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ । ଏଠାରେ ସୂଚନା ଥାଉକି, ଗତ ଫେବୃଆରୀ ୯ତାରିଖ ରାତି ପ୍ରାୟ ୧୦. ୩୦ରେ ତିହିଡି଼ ଗ୍ରାମର କେଶବ ଓ ଗଣେଶ ସ୍ଥାନୀୟ କାଳୀପଡ଼ିଆରେ ଚାଲିଥିବା ମହୋତ୍ସବ ଦେଖି ଘରକୁ ଫେରୁଥିବା ବେଳେ ପାଟଣାସାହି ଗ୍ରାମର ମାନସ ରଞ୍ଜନ ତ୍ରିପାଠୀ ଓ ବଉଳପାଳ ଗ୍ରାମର ଲିଟୁ ଜେନା ନାମକ ୨ଜଣ ଯୁବକ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେବାରୁ ସେହି ୨ଜଣ ଯୁବକ ତାଙ୍କୁ ଏକ ଲୁହା ରଡ଼ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କ ଚିତ୍କାର ଶୁଣି କିଛି ଲୋକ ସେଠାରେ ପହଂଚିବାରୁ ଆକ୍ରମଣକାରୀମାନେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ପରେ ଉଦ୍ଧାର କରିଥିବା ଲୋକମାନେ ଆହତ ଦୁଇ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ । ସେହି ରାତିରେ ମଣ୍ଡଳ ସଭାପତି କେଶବ ଥାନାରେ ଦେଇଥିବା ଏତଲା କ୍ରମେ ପୋଲିସ ୪୦/୨୬ରେଏକ ମକଦ୍ଦମା ରୁଜୁ କରିଥିଲେ ମଧ୍ୟ ଏଯାବତ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଇନଥିଲା ।

