ଭାରତୀୟ ଜନତା ପାର୍ଟିର ସାଂଗଠନିକ ଜିଲ୍ଲା ବାଲେଶ୍ୱରର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ମାନନୀୟ ଈଶ୍ୱର ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭେନିଆ ପାରାଡାଇଜ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ମଣ୍ଡଳର ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ବୈଠକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ ସହିତ ବୈଠକର ଔପଚାରିକ ଶୁଭାରମ୍ଭ ହୋଇଥିଲା। ଅତିଥି ପରିଚୟ ଓ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ପରେ ମଣ୍ଡଳ ସଭାପତି ଉମାକାନ୍ତ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକାରିଣୀ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ବୈଠକକୁ ମାନନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ବର୍ତ୍ତମାନର ରାଜନୈତିକ ଓ ସାମାଜିକ ପରିସ୍ଥିତିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ସକ୍ରିୟ ରହିବା ଏବଂ ଦଳର ନୀତି ଓ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ।
ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ନିଜ ଅଭିଭାଷଣରେ ସମସ୍ତ ଅତିଥି, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସାମୂହିକ ପ୍ରୟାସ ଓ ଏକତ୍ରିତ ହୋଇ କାର୍ଯ୍ୟ କରିବା ଦ୍ୱାରା ସଂଗଠନ ନିରନ୍ତର ପ୍ରଗତିର ପଥରେ ଆଗେଇ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଏକତା ବଜାୟ ରଖି ସଂଗଠନକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
ଦ୍ୱିତୀୟ ଅଧିବେଶନରେ ଜିଲ୍ଲାର ସାଧାରଣ ସମ୍ପାଦକ ପଶୁରାମ ପରିଡ଼ାଙ୍କ ଦ୍ବାରା ବିଗତ ଦିନରେ ଦେହାନ୍ତ ହୋଇଥିବା କାର୍ଯ୍ୟକର୍ତ୍ତା ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହାପରେ ଜିଲ୍ଲା ପ୍ରଭାରୀ ଗୌତମ ରାୟ ଆଗାମୀ ଦିନର କାର୍ଯ୍ୟଯୋଜନା ଓ ସାଂଗଠନିକ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ପରବର୍ତ୍ତୀ ଅଧିବେଶନରେ ସ୍ଥାନୀୟ ବିଧାୟକ ମାନସ ଦତ୍ତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଦଳର ରଣନୀତି ଏବଂ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ସେହିପରି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସମବାୟ ନିର୍ବାଚନ ସମେତ ଆଗାମୀ ନିର୍ବାଚନରେ କିପରି ସାଂଗଠନିକ ଭାବେ ପ୍ରସ୍ତୁତି ନିଆଯିବ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ତୃତୀୟ ଅଧିବେଶନରେ ରାଜ୍ୟ ଉପସଭାନେତ୍ରୀ ସିପ୍ରା ବାଜପେୟୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଓ ଉପଲବ୍ଧି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା ସମର୍ଥନ କରିଥିଲେ।
ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ରାଜ୍ୟ ସରକାରଙ୍କ କାର୍ଯ୍ୟ ଓ ଉପଲବ୍ଧି ପାଇଁ ଧନ୍ୟବାଦ ପ୍ରସ୍ତାବ ରଖିବା ସହ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବ ଦୁଇଟିକୁ ଯଥାକ୍ରମେ ଜିଲ୍ଲା ସମ୍ପାଦିକା ସୁଭଦ୍ରା ପାଢ଼ୀ ଓ ଜିଲ୍ଲା ଉଫସଭାପତି ବିଜୟ ସାହୁ ସମର୍ଥନ କରିଥିଲେ।
ଜିଲ୍ଲା ଉପସଭାପତି ଗୌରାଙ୍ଗ ଦାସ ମାନନୀୟ ସାଂସଦ ଓ ଜିଲ୍ଲାର ବିଧାୟକମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଓ ବିକାଶମୂଳକ ପଦକ୍ଷେପର ବିବରଣୀ ପାଠ କରିବା ସହ ସେମାନଙ୍କ ପ୍ରତି ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ଜିଲ୍ଲା ସମ୍ପାଦକ ବଳରାମ ବିଶ୍ୱାଳ ସମର୍ଥନ କରିଥିଲେ।
ସମାପନୀ ଅଧିବେଶନରେ ମାନନୀୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରସରାଜ୍ୟ ସରକାରଙ୍କ ବିଭିନ୍ନ ଉପଲବ୍ଧି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ କାଲି ଠାରୁ ଏକମାସ ବ୍ୟାପି ଜିଲ୍ଲାରେ ହେବାକୁ ଥିବା ସେବାକାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିସହ ଜିଲ୍ଲାରେ ସାଂଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯିବା ଆବଶ୍ୟକ, ସେ ସମ୍ପର୍କରେ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏହାସହିତ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯା ମମତା ମହାପାତ୍ର, ସାଧାରଣ ସମ୍ପାଦକ ଅଣୁମାଧବ ପଣ୍ଡା ମଞ୍ଚାସିନ ଥିଲେ, ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା ମଞ୍ଚ ଆହ୍ବାନ କରିଥିବା ବେଳେ ସମଗ୍ର ସତ୍ରକୁ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ ପରିଚାଳନା କରିଥିଲେ।
ଏହିପରି ଭାବେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦିଗ୍ଦର୍ଶନ ଦେବା ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ସଂକଳ୍ପ ସହ ଭାଜପା ସାଂଗଠନିକ ଜିଲ୍ଲା ଭଦ୍ରେଶ୍ୱରର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ସର୍ବଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

