ମୟୂରଭଞ୍ଜ: ମୟୂରଭଞ୍ଜରେ ସନ୍ଦିଗ୍ଧ ପାରା । ବେତନଟୀ ବ୍ଲକ କଷିପଦା ଗାଁରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି । ବାଂଲାଦେଶ କୋଡ୍ ଲାଗିଥିବା ସନ୍ଦିଗ୍ଧ ପାରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ । ପାରା ଗୋଡ଼ରେ ପିତଳ ରିଙ୍ଗ୍ ଲାଗିଛି । କିଛି ସାଙ୍କେତିକ ଶବ୍ଦ ଲେଖାଯାଇଛି ।
ମଙ୍ଗଳବାର ଅପରାହ୍ନରେ କଷିପଦା ଗ୍ରାମର ହରିଶ ଚନ୍ଦ୍ର ପୁହାଣଙ୍କ ଘର ନିକଟରେ ପରିବାର ଲୋକେ ପାରାଟିକୁ ଦେଖିଥିଲେ। ପାରାର ଗୋଟିଏ ଗୋଡ଼ରେ ନୀଳ ରଙ୍ଗର ପିତ୍ତଳ ରିଙ୍ଗ୍ ସଦୃଶ ଏକ ଧାତବ ରିଙ୍ଗ୍ ଲାଗିଥିଲା। ଏଥିରେ ‘BAN-2024’ ଓ ‘701831’ ଲେଖା ଥିବା ଦେଖାଯାଇଥିଲା ।
ପାରାଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ଧୀରେଧୀରେ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାର ଗୁରୁତ୍ୱକୁ ଦେଖି ହରିଶ ଚନ୍ଦ୍ର ପୁହାଣଙ୍କ ପୁଅ ଶ୍ରୀକାଶ ପୁହାଣ ପାରାଟିକୁ ଉଦ୍ଧାର କରି ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ । ପରେ ସେ ନିଜେ ପାରାଟିକୁ ଥାନାରେ ପହଞ୍ଚାଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳ ଓ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ରିଙ୍ଗ୍ରେ ଲେଖାଥିବା କୋଡ୍ ଓ ନମ୍ବରକୁ ଯାଞ୍ଚ କରିଥିବା ଜଣାପଡ଼ିଛି । ତେବେ ପାରାଟି କେଉଁଠାରୁ ଆସିଲା, ରିଙ୍ଗ୍ରେ ଏଭଳି କୋଡ୍ କାହିଁକି ଲେଖାଯାଇଛି ଏବଂ ଏହା ପଛରେ କୌଣସି ଅନ୍ୟ ରହସ୍ୟ ରହିଛି କି ନାହିଁ ସେ ନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି । ପାରାଟିକୁ ନେଇ ପ୍ରାଥମିକ ଅବସ୍ଥାରେ ଗ୍ରାମରେ ଭୟ ଓ ଉତ୍କଣ୍ଠାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ।

