ଭୁବନେଶ୍ବର: କାଲି ଲଘୁଚାପ । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ବାୟୁମଣ୍ଡଳରରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି । ପ୍ରଭାବରେ ଆସନ୍ତାକାଲି ଉତ୍ତରବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏହା ଦାନା ବାନ୍ଧିପାରେ । ଏହା ଫଳରେ ବଙ୍ଗୋପସାଗର ଉପରେ ବାଦଲ ସଂଗଠିତ ହେବା ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ଲଘୁଚାପ ସୃଷ୍ଟି ପରେ ଏହା କେଉଁ ଦିଗକୁ ଗତି କରିବ ଏବଂ କେତେ ଶକ୍ତିଶାଳୀ ହେବ, ତାହା ପରବର୍ତ୍ତୀ ପାଣିପାଗ ସ୍ଥିତିରୁ ଅଧିକ ସ୍ପଷ୍ଟ ହେବ । ଏବେ ନଜର ରହିଛି ଆଣ୍ଡାମାନ ସାଗରରୁ ବଙ୍ଗୋପସାଗର ଆଡ଼କୁ ହେଉଥିବା ପାଣିପାଗ ପରିବର୍ତ୍ତନ ଉପରେ ।
ଲଗାତାର ଲଘୁଚାପ ପରେ ଗତ କିଛି ଦିନ ଧରି ନିଷ୍କ୍ରିୟ ଥିଲା ମୌସୁମୀ। ରାଜ୍ୟରେ ଅନୁଭୂତ ହେଉଥିଲା ଅସହ୍ୟ ଗରମ ଓ ଗୁଳୁଗୁଳି। ଏବେ ଫେରୁଛି ବଡ଼ ବର୍ଷା। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ସୃଷ୍ଟି ହେବା ସମ୍ଭାବନା। ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏଁ ପ୍ରବଳ ବର୍ଷିବ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା। ଆଜି ଦୁଇ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ। ମୟୂରଭଞ୍ଜକୁ ରେଡ୍ ଏବଂ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଅରେଞ୍ଜ ଚେତାବନୀ ଦେଇଛି ଆଇଏମଡି।

