ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏସିଆନ୍ ଗେମ୍ସ ୨୦୨୬ । ଏଥିରେ କ୍ରିକେଟକୁ ମଧ୍ୟ ସାମିଲ କରାଯାଇଛି । ଭାରତୀୟ ମହିଳା ଓ ପୁରୁଷ—ଉଭୟ କ୍ରିକେଟ୍ ଟିମ୍ ଏସିଆନ୍ ଗେମ୍ସରେ ଭାଗ ନେବେ । ବିସିସିଆଇ ପକ୍ଷରୁ ଉଭୟ ଦଳର ସ୍କ୍ୱାଡ୍ ମଧ୍ୟ ଘୋଷଣା କରାଯାଇସାରିଛି । ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ରହଣି ବ୍ୟବସ୍ଥାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଦୂର କରିଛନ୍ତି । ସେ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଖେଳାଳିମାନେ ଏସିଆନ୍ ଗେମ୍ସ ଆୟୋଜନ କମିଟି ପକ୍ଷରୁ ନିର୍ଦ୍ଧାରିତ ରହଣି ସ୍ଥାନରେ ହିଁ ରହିବେ ।
ଆଇଚି-ନାଗୋୟାରେ ଭଲ ହୋଟେଲର ଅଭାବ ଥିବାରୁ ଭାରତୀୟ କ୍ରିକେଟରମାନଙ୍କ ରହଣିକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ରହଣି ବ୍ୟବସ୍ଥାରେ କୌଣସି ବଡ଼ ସମସ୍ୟା ନଥିବା ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆୟୋଜକମାନେ ଯେଉଁ ସୁବିଧା ଦେଉଛନ୍ତି, ଭାରତୀୟ ଦଳ ସେଠାରେ ହିଁ ରହିବ । ଖେଳାଳିମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବିସିସିଆଇ ପକ୍ଷରୁ ରହଣି ସ୍ଥାନର ଫଟୋ ଓ ଭିଡିଓ ମଗାଇ ଯାଞ୍ଚ କରାଯାଇଛି ।
ଭାରତୀୟ କ୍ରିକେଟରମାନେ ରୁମ୍ ସେୟାର କରିବେ ନାହିଁ ବୋଲି ମଧ୍ୟ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି । ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଅଲଗା ରୁମ୍ ବ୍ୟବସ୍ଥା ରହିବ । ଖେଳାଳିମାନଙ୍କୁ ଓସାକା କିମ୍ବା ଟୋକିଓରେ ରଖିବାର ବିକଳ୍ପ ଥିଲା । କିନ୍ତୁ ସେଠାରୁ ଇଭେଣ୍ଟ ସ୍ଥଳକୁ ଯାତାୟାତ କରିବାରେ ଅଧିକ ସମୟ ଲାଗିଥାନ୍ତା । ତେଣୁ ଆୟୋଜକମାନେ ନିର୍ଦ୍ଧାରଣ କରିଥିବା ରହଣି ସ୍ଥାନରେ ହିଁ ଭାରତୀୟ ଦଳ ରହିବ ବୋଲି ନିଷ୍ପତ୍ତି ହୋଇଛି ।
ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ସେପ୍ଟେମ୍ବର ୨୦ରେ ଟୋକିଓ ଅଭିମୁଖେ ଯାତ୍ରା କରିବ । ସେପ୍ଟେମ୍ବର ୨୨ରେ ଜାପାନ ବିପକ୍ଷରେ ଭାରତ ଏକ ଐତିହାସିକ ଟି-୨୦ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି । ତେବେ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ଦଳର ପ୍ରଥମ ମୁକାବିଲା ସେପ୍ଟେମ୍ବର ୨୮ରେ ହେବ ।

