ତିହିଡି- ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ସହ ପ୍ରଯୁକ୍ତିବିଦ୍ୟାରେ ନିପୁଣ କରାଇବା ଓ କୃତ୍ରିମ ବୁଦ୍ଧିମତ୍ତାର ଧାରଣା ଓ ଏହାର ପ୍ରୟୋଗାତ୍ମକ ଦିଗକୁ ବିଦ୍ୟାଳୟ ଶିକ୍ଷା ସହ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଷ୍ଟାର୍ ଓ ପିଏମଶ୍ରୀ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଶାରଳା ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ହେଲା ରୋବୋଟିକ୍ ଲ୍ୟାବ୍ । ସମଗ୍ର ଓଡ଼ିଶାରେ ୧୬ଟି ଜିଲ୍ଲାର ୩୦୭ଟି ମାଧ୍ୟମିକ ବିଦ୍ୟାଳୟରେ ରୋବୋଟିକ୍ ଲ୍ୟାବ୍ ସ୍ଥାପନ କରା ଯାଇଛି। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାରେ ୩୯ଟି ବିଦ୍ୟାଳୟରେ ଓ ଚାନ୍ଦବାଲିରେ ୯ଟି ବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରା ଯାଇଛି। ଏହା ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟାର ଜ୍ଞାନ କୌଶଳ ହାସଲ କରାଇବା ସହ ସେମାନଙ୍କର ଦକ୍ଷତା ବିକାଶରେ ସହାୟକ ହେବ ବୋଲି ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୁଲତା ଦାସ ଓ ଶିକ୍ଷକ ଆଶିଷ ଦାସଙ୍କୁ ଲ୍ୟାବ୍ ପରିଚାଳନା ଦାୟିତ୍ବ ଦିଆଯାଇଛି। ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅନିତା କୁମାରୀ ସେଠୀ, ସଂଜୟ କୁମାର ମହାନ୍ତି, ଅନିମା ଦାଶ, ରୋଜାଲିନ୍ ସାହୁ, ରୁବିନା ଖାତୁନ୍, ରଶ୍ମିରେଖା ମହାଳିକ, ଦୀପ୍ତିରେଖା ସାହୁ, ଶୁଭଶ୍ରୀ ମହାଳିକ, ପ୍ରଦୀପ ମହାନ୍ତି, ସନ୍ତୋଷ ମହାଳିକ, ଅଭୟା ନାୟକ, ମମତାରାଣୀ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶୀତ ମହାଳିକ ପ୍ରମୁଖ ଓଡ଼ିଶା ସରକାରଙ୍କ ଏପରି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

