ବାଲେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘ ୨୫ ବର୍ଷର ସେବା, ସମର୍ପଣ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ସହ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ ତୃଣମୂଳ ସ୍ତରରେ ମଜବୁତ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’କୁ ବ୍ୟାପକ ରୂପ ଦେବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।
ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ରାଜ୍ୟ ରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦ ‘ସେବା ସଂକଳ୍ପ ଅଭିଯାନ’ ରେ ଥିବା ମୁଖ୍ୟ ୧୩ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ।
ମୁଖ୍ୟଅତିଥି ତଥା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ମାନ୍ୟବର ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମର ଯୋଜନା, ରୂପରେଖ, କ୍ରୀୟାନୋୟନ, ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ ଜିଲ୍ଲା ପ୍ରଭାରୀ ଗୌତମ ରାୟ, ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, କର୍ମଶାଳାରେ ଅଂଶଗ୍ରହଣ କରିଥିବା ଟୋଲି ସଦସ୍ୟ ଓ ପଦାଧିକାରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାଂସଦ ରବିନାରାୟଣ ବେହେରା, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯା ମମତା ମହାପାତ୍ର ଓ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚାସିନ ଥିଲେ।
ମାନ୍ୟବର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ‘ସେବା ସଂକଳ୍ପ ଅଭିଯାନ’ କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ; ଏହା ସେବାକୁ ସାମାଜିକ ଆନ୍ଦୋଳନର ରୂପ ଦେଇ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପାଇଁ ଜନସାଧାରଣଙ୍କୁ ସାମୂହିକ ଭାବେ ଯୋଡ଼ିବାର ଏକ ପ୍ରୟାସ।
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସବ୍ୟାପୀ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି, ରାଜନୀତିକୁ କେବଳ ନିର୍ବାଚନୀ କାର୍ଯ୍ୟକଳାପରେ ସୀମିତ ନରଖି ସମାଜସେବା ସହ ଯୋଡ଼ିବା। ଅଭିଯାନରେ ପ୍ରତ୍ୟେକ ନାଗରିକଙ୍କୁ ସେବା କାର୍ଯ୍ୟରେ ଯୋଡ଼ିବା ସହ ୧୩ଟି ପ୍ରମୁଖ ସେବା ଗତିବିଧି ମଧ୍ୟରୁ ସ୍ଥାନୀୟ ଆବଶ୍ୟକତା ଅନୁସାରେ କାର୍ଯ୍ୟ ଚୟନ କରନ୍ତୁ ବୋଲି ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା କହିଛନ୍ତି।
ଏହି ୧୩ଟି ସେବା କାର୍ଯ୍ୟକ୍ରମ ମଧ୍ୟରେ ରକ୍ତଦାନ ଶିବିର, ଅନାଥାଶ୍ରମ ଓ ବୃଦ୍ଧାଶ୍ରମ ପରିଦର୍ଶନ, ବୃକ୍ଷରୋପଣ, ‘ସ୍ୱଚ୍ଛତା ହିଁ ସେବା’, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଗୋଟିଏ ଗାଁକୁ ପୋଷ୍ୟ ଗ୍ରହଣ କରି ସେବା କାର୍ଯ୍ୟ, ଯୋଗ ଓ ଧ୍ୟାନ ସତ୍ର, ପ୍ଲାଷ୍ଟିକ୍-ମୁକ୍ତ ସଚେତନତା ଏବଂ ମହିଳା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଭଳି କାର୍ଯ୍ୟ ସାମିଲ ରହିଛି।
ଅଭିଯାନର ଏକ ପ୍ରମୁଖ ଆକର୍ଷଣ ହେବ ‘ଆଶୀର୍ବାଦର ଦୀପ’। ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ବୁଥ୍ ସଦସ୍ୟମାନେ ହିତାଧିକାରୀଙ୍କ ଘରକୁ ଯାଇ ଦୀପ ପ୍ରଜ୍ୱଳନ ପାଇଁ ଆମନ୍ତ୍ରଣ କରିବେ। ଦଳର ଅଭିଯାନ ଅନୁସାରେ ପ୍ରତ୍ୟେକ ଦୀପକୁ ମୋଦୀଙ୍କ ୨୫ ବର୍ଷର ଜନସେବା ଓ ‘ବିକଶିତ ଭାରତ ୨୦୪୭’ ପାଇଁ ସାମୂହିକ ସଂକଳ୍ପର ପ୍ରତୀକ ଭାବେ ପ୍ରସ୍ତୁତ କରାଯିବ।
ଯୁବପିଢ଼ିଙ୍କୁ ଅଭିଯାନ ସହ ଯୋଡ଼ିବା ପାଇଁ ‘୨୫ କୋଟି ପିଲାଙ୍କ ସ୍ୱପ୍ନର ଭାରତ’ ଶୀର୍ଷକରେ ଦେଶବ୍ୟାପୀ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା ହେବ। ସେପ୍ଟେମ୍ବର ୧୭ରୁ ଏହା ଆୟୋଜିତ ହେବାକୁ ଥିବାବେଳେ ବିଦ୍ୟାଳୟସ୍ତରରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସହଭାଗିତା ରହିବ।
ଏଥିସହ ‘ନମୋ ସେବା ଗାଥା’ ନାମରେ ୨୫-୩୦ ମିନିଟର ସଙ୍ଗୀତମୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗତ ୨୫ ବର୍ଷର ସେବା, ଜନକଲ୍ୟାଣକାରୀ ଯୋଜନା ଓ ପରିବର୍ତ୍ତନର କାହାଣୀକୁ ଗାଁରୁ ଗାଁକୁ ପହଞ୍ଚାଇବାର ଯୋଜନା ରହିଛି।
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ ପିପିଟି ଭିଡ଼ିଓ ମାଧ୍ୟମରେ ଉପରୋକ୍ତ ୧୩ କାର୍ଯ୍ୟକ୍ରମ ବିଷୟରେ ପ୍ରଦର୍ଶିତ କରିଥିଲେ।
ଜିଲ୍ଲା ଉପସଭାପତି ଗୌରାଙ୍ଗ ଦାସ କର୍ମଶାଳା ପରିଚାଳନା କରିଥିଲେ।
ଶେଷରେ ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

