ନୂଆଦିଲ୍ଲୀ : ଇରାନରେ ପୁଣି ଆମେରିକାର ଆକ୍ରମଣ । IRGC ଠିକଣାକୁ ଟାର୍ଗେଟ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ବା IRGCର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରି ନୂଆ ଆକ୍ରମଣ ଆରମ୍ଭ କରାଯାଇଥିବା US Central Command ବା CENTCOM ସୂଚନା ଦେଇଛି ।
CENTCOM ଅନୁସାରେ, ଗତକାଲି ଆମେରିକା ସମୟ ମଧ୍ୟାହ୍ନ ୧୨ଟାରୁ IRGC ଠିକଣାଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆମେରିକୀୟ ସେନା IRGCର ଏୟାର ଡିଫେନ୍ସ, ରାଡାର୍ ସିଷ୍ଟମ୍, ନୌସେନା ପ୍ରତିଷ୍ଠାନ, ପାଣି ଭିତରେ ମାଇନ୍ ବିଛାଇବା କ୍ଷମତା ଥିବା ବ୍ୟବସ୍ଥା ଏବଂ ଯୋଗାଯୋଗ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରି ନଷ୍ଟ କରିଛି । ଇରାନ କହିଛି, ଚାବାହାର ଏବଂ କୋନାରକ ଅଞ୍ଚଳ ଉପରେ ଆକ୍ରମଣ ହୋଇଛି । କୌଣସି କ୍ଷତି ହୋଇଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଏବଂ ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ୍ କରି IRGC ପକ୍ଷରୁ ନିକଟରେ ହୋଇଥିବା ଆକ୍ରମଣ ଉଦ୍ୟମର ଜବାବରେ ଏହି ପଦକ୍ଷେପ ନିଆଯାଇଥିବା CENTCOM କହିଛି ।
ଗତ କିଛି ମାସ ଧରି ଇରାନ ଓ ଆମେରିକା ମଧ୍ୟରେ ସାମରିକ ଉତ୍ତେଜନା ବଢ଼ିବାରେ ଲାଗିଛି । ପୂର୍ବରୁ ମଧ୍ୟ ଆମେରିକା ଇରାନର IRGC ସହ ଜଡ଼ିତ ସାମରିକ ଠିକଣାଗୁଡ଼ିକୁ ଟାର୍ଗେଟ୍ କରିଥିଲା । ଅନ୍ୟପଟେ ଆମେରିକୀୟ ସୈନ୍ୟ ଓ ଏହାର ସ୍ୱାର୍ଥକୁ ଟାର୍ଗେଟ୍ କରିବାର ଉଦ୍ୟମ ପାଇଁ ୱାଶିଂଟନ ଇରାନକୁ ଦାୟୀ କରିଆସୁଛି । ବିଶ୍ୱର ତୈଳ ଓ ଗ୍ୟାସ ପରିବହନ ପାଇଁ ହର୍ମୁଜ୍ ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜକୁ ନେଇ ନୂଆ ବିବାଦ ଏବଂ ଏହା ପରେ ଆମେରିକାର ସଦ୍ୟ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି । ଏବେ ଆମେରିକାର ଏହି ଆକ୍ରମଣର ଜବାବରେ ଇରାନ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯଦି ଇରାନର ପ୍ରତିଶୋଧ ନିଏ, ତେବେ ସେମାନଙ୍କୁ ପୁଣି ଥରେ ବହୁତ କଠିନ ଏବଂ ତୀବ୍ର ଆକ୍ରମଣ କରାଯିବ ।

