ତିହିଡି, ୨୨.୦୮: ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମୃତକଙ୍କ ପରିବାର ଲୋକେ ଶବକୁ ଭଦ୍ରକ-ଚାନ୍ଦବାଲି ରାଜପଥରେ ରଖି ଅବରୋଧ କରିଥିଲେ । ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ହସ୍ତକ୍ଷେପରେ ହଟିଥିଲା ପ୍ରତିବାଦ ଆନ୍ଦୋଳନ । ଏହାପରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶବ ରଖି ପ୍ରତିବାଦ କରାଯାଇଥିଲା । ତିହିଡି ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ତେବେ ରାଜପଥ ଅବରୋଧ ସମୟରେ ତିହିଡି ବଜାର ଦେଇ ଖୋଦ୍ ଜିଲ୍ଲାପାଳ ହିତେଶ କୁମାର ଉପାଧ୍ୟାୟ ବନ୍ୟାଂଚଳ ପରିଦର୍ଶନରେ ଯାଉଥିଲେ । ମାତ୍ର ପାରିପଶ୍ୱିର୍କ ପରିସ୍ଥିତିକୁ ଏଡାଇବାକୁ ଯାଇ ଶେଷରେ ସେ ଗାଁ ରାସ୍ତା ଦେଇ ଯାଇଥିବା ଜଣାଯାଇଛି । ମୃତକ ସ୍ଥାନୀୟ ବଉଳପାଳ ଗାଁର ମାୟାଧର ତ୍ରିପାଠୀ (୭୦) ବୋଲି ଜଣାଯାଇଛି । ଶନିବାର ସକାଳେ ସେ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ । ଭୁଲ ଚିକିତ୍ସା ପାଇଁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ତିହିଡି ପୋଲିସ ଘଟଣା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ । ତେବେ ଭୁଲ ଚିକିତ୍ସା କରିଥିବା ଡାକ୍ତର କୁଆଡେ ଚମ୍ପଟ ମାରିଥିବା ଶୁଣିବାକୁ ମଳୁଛି । ତାଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହାକୁ ଅନେଇ ବସିଛନ୍ତି ମୃତକଙ୍କ ପରିବାର ଲୋକେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

