ତିହିଡି, ୨୧.୦୮: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧା ପଂଚାୟତ ଅଧିନ ମାତଗଜପୁର ଠାରେ ଗତ ମଙ୍ଗଳବାର ରାତିରେ ସାଳନ୍ଦୀ ନଦୀର ଶାଖା ନାଳିଆ ନଦୀରେ ବନ୍ଧ ଭାଙ୍ଗି ୬୦ଫୁଟର ଘାଇ ହୋଇଥିଲା । ଉକ୍ତ ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ୨ଦିନ ମଧ୍ୟରେ ଶୁକ୍ରବାର ଦିନ ସାଳନ୍ଦୀ ଜଳସେଚନ ବିଭାଗ ନାଳିଆ ନଦୀର ଘାଇକୁ ବାଲିବସ୍ତା ପକାଇ ବାନ୍ଧିବାକୁ ସକ୍ଷମ ହୋଇଛନ୍ତି । ଫଳରେ ତଳଗୋପବିନ୍ଧା ପଂଚାୟତର ଭୟଭିତ ଅବସ୍ଥାରେ ଥିବା ୬ହଜାର ଲୋକ ଅଶ୍ୱସ୍ତି ଲାଭ କରିଛନ୍ତି । ଏଥିପାଇଁ ପଂଚାୟତବାସୀ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଳନ୍ଦୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, କନିଷ୍ଟ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ଓ ସରପଂଚ ସଂଜୀବ ବେହେରାଙ୍କ ଉଦ୍ୟମକୁ ପ୍ରସଂଶା କରିଥିବା ବେଳେ ବିଡ଼ିଓ ନିରଞ୍ଜନ ବାରିକଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ନାଳିଆ ନଦୀରେ ବନ୍ୟା ଆସିବା ଯୋଗୁ ମାତଗଜପୁର ଗ୍ରାମ ନିକଟରେ ନଦୀରେ ବନ୍ଧଭାଙ୍ଗି ୬୦ଫୁଟ ଓସାରର ଘାଇ ସୃଷ୍ଟି ହୋଇଥିଲା । ଯାହା ଫଳରେ ପଂଚାୟତ ଅଧୀନ ୧୨ଟି ଗ୍ରାମ ଜଳମଗ୍ନ ହୋଇଥିଲା । ଏଥିସହ ତଳଗୋପବିନ୍ଧା ସହ ଭଦ୍ରକ ବ୍ଲକ ଅଧୀନ ରାଜମୁକୁନ୍ଦପୁର ଭାୟା ରାଜୁଆଳିବିନ୍ଧାର ଯୋଗାଯୋଗ ବିଛିନ୍ନ ହୋଇଥିଲା କ୍ଷ ଘାଇରେ ବନ୍ୟା ପାଣି ସ୍ରୋତ ପ୍ରଖର ଓ ଭୟଙ୍କର ଥିବାରୁ ପଂଚାୟତବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେଠାରେ ପହଂଚି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ । ଏଥିସହ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ବାଲିବସ୍ତା ସହାୟତାରେ ତୁରନ୍ତ ଘାଇ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମନ୍ତ୍ରୀ ସୂରଜ ତଳିଆ ଅଂଚଳରୁ ବିପନ୍ନମାନଙ୍କୁ ଉଦ୍ଧାର କରି ଐଶାନ୍ୟଚଣ୍ଡି ହାଇସ୍କୁଲରେ ଥଇଥାନ କରିବାକୁ ବିଡ଼ିଓ ନିରଞ୍ଜନ ବାରିକଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ତଳିଆ ଅଂଚରୁ ପ୍ରାୟ ୭ଶହ ବିପନ୍ନଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ପରେ ସରପଂଚ ସଞ୍ଜୀବ ବେହେରା ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଥିଲେ । ତେବେ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାହୁଙ୍କ ସମେତ ଉପଖଣ୍ଡ ଅଧିକାରୀ ବେହେରା, କନିଷ୍ଠ ଯନ୍ତ୍ରୀ ସାମଲ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ପ୍ରବଳ ସ୍ରୋତ ଥିବାରୁ ବାଲି ବସ୍ତା ସହାୟତାରେ ଘାଇ ବାନ୍ଧିବାକୁ ସାହସ କରିପାରି ନଥିଲେ । ପରେ ହଦଗଡ଼ ଡ୍ୟାମରୁ ଛଡା ଯାଉଥିବା ପାଣିକୁ ବନ୍ଦ କରାଯାଇ ବିଭାଗୀୟ ଅଧିକାରୀ ବନ୍ୟା ସ୍ରୋତ କମିବାକୁ ଅପେକ୍ଷା କରିଥିଲେ । ଶୁକ୍ରବାର ସ୍ରୋତ କମିବାରୁ ବାଲି ବସ୍ତା ସହାୟତାରେ ଘାଇ ବନ୍ଧା ଯାଇଥିବା ଜଣାପଡିଛି । ତେବେ ଏହି ବନ୍ୟା ଯୋଗୁ ପଂଚାୟତବାସୀ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିଥିବା ଜଣାଯାଇଛି ।

