କ୍ଷୟକ୍ଷତିର ସମୀକ୍ଷା, ଶୁଖିଲା ଖାଦ୍ୟ ବଣ୍ଟନ; ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ଜଳେଶ୍ଵର: ବନ୍ୟା ପରିସ୍ଥିତିରେ ପ୍ରଭାବିତ ଜଳେଶ୍ଵର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି ଅବସରରେ ସେ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ।
କାଦରାୟାଁ ଗାଁରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାର ସ୍ଥିତି ସାଂସଦ ଶ୍ରୀ ଷଡ଼ଙ୍ଗୀ ସମୀକ୍ଷା କରିଥିଲେ। ଏଥିସହ ତେଗରୀ ଠାରେ ବନ୍ୟା ପାଣିର ପ୍ରବଳ ସ୍ରୋତ ଯୋଗୁଁ ସୃଷ୍ଟି ହୋଇଥିବା ବିରାଟ ଖାଇର ଅସ୍ଥାୟୀ ମରାମତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ।

ବନ୍ୟା ସମୟରେ ଯାତାୟାତ ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଯେପରି କୌଣସି ସମସ୍ୟା ନ ଉପୁଜେ, ସେଥିପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ସହ କ୍ଷତିଗ୍ରସ୍ତ ରାସ୍ତାର ସ୍ଥାୟୀ ସମାଧାନ ପାଇଁ ସାଂସଦ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ମୋହିତ ପୋଦ୍ଦାର, ଗଣମାଧ୍ୟମ ସହସଂଯୋଜକ ରଞ୍ଜିତ ପୁଷ୍ଟି, ଜଳେଶ୍ଵର ଯୁବନେତା କାଳୀଚରଣ ଦାସ, ବବୁଲୁ ମିଆଁ, ଶେଖ୍ ନଇମୁଦ୍ଦିନ, ଶେଖ୍ ସାଇରୁଦ୍ଦିନ ଓ ଶେଖ୍ ଟିମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

