ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ କୁରାଡିହା,

ସାର୍ଥା ଓ ଆଳୁମେଦା ଅଞ୍ଚଳକୁ ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ପରିଦର୍ଶନ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ବନ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ପାଣି ଗାଁ ଓ ଚାଷଜମିକୁ ମାଡ଼ିଯିବା ଫଳରେ ଏହି ଅଞ୍ଚଳଗୁଡ଼ିକରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ବିଶେଷକରି ଧାନ ସମେତ ବିଭିନ୍ନ ଫସଲ ଜଳମଗ୍ନ ହୋଇଥିବାରୁ ଚାଷୀମାନେ ଗୁରୁତର କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ପରିଦର୍ଶନ ସମୟରେ ଶ୍ରୀ ଦତ୍ତ ପ୍ରଭାବିତ ପରିବାର ଓ ଚାଷୀମାନଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ। କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ଚାଷୀ ଓ ପରିବାରମାନଙ୍କୁ ନିୟମାନୁସାରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଛନ୍ତି।

ବନ୍ୟା ପରିସ୍ଥିତି ଉପରେ ସରକାର ନଜର ରଖିଥିବାବେଳେ, ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ, ଖାଦ୍ୟ, ପାନୀୟ ଜଳ ଏବଂ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦିଆଯାଉଛି ବୋଲି ଶ୍ରୀ ଦତ୍ତ କହିଛନ୍ତି।

ପ୍ରଭାବିତ ଅଞ୍ଚଳର ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ବନ୍ୟା ପରବର୍ତ୍ତୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

