୮୦ତମ ସ୍ୱାଧୀନତା ଦିବସ ଅବସରରେ ପୂର୍ବ ତଟ ରେଳପଥ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆଜି ଆମେ ଗର୍ବ ଓ ଶ୍ରଦ୍ଧାର ସହିତ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅସାଧାରଣ ସାହସ ଓ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ । ସେମାନଙ୍କର ମହାନ ତ୍ୟାଗ ଆଜି ମଧ୍ୟ ଆମ ପଥକୁ ଆଲୋକିତ କରିବା ସହିତ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଆମକୁ ପ୍ରେରଣା ଯୋଗାଇ ଆସୁଛି । ଏହି ବର୍ଷ ଆମେ “ବନ୍ଦେ ମାତରମ୍”ର ୧୫୦ତମ ବର୍ଷପୂର୍ତ୍ତି ମଧ୍ୟ ପାଳନ କରୁଛୁ ।

ପୂର୍ବ ତଟ ରେଳପଥର ନେତୃତ୍ୱ ନେବା ମୋ ପାଇଁ ଏକ ଗୌରବ ଓ ସମ୍ମାନର ବିଷୟ । ଆମେ ଯେତେବେଳେ ଭାବାବେଗ ସହ ସ୍ୱାଧୀନତା ଦିବସକୁ ପାଳନ କରୁଛୁ, ସେତେବେଳେ ନିରାପତ୍ତା, କାର୍ଯ୍ୟଦକ୍ଷତା ଓ ସେବାରେ ଉତ୍କର୍ଷର ନୂତନ ମାନଦଣ୍ଡ ସ୍ଥାପନ କରିବା ପାଇଁ ଆପଣମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଁ ଆଗ୍ରହୀ ।
୨୦୨୫-୨୬ ବର୍ଷ ପୂର୍ବ ତଟ ରେଳପଥ ପାଇଁ ଏକ ସଫଳତାଭରା ବର୍ଷ ରହିଛି । ପୂର୍ବ ତଟ ରେଳପଥ ପରିବାରର ସଦସ୍ୟମାନଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ସମର୍ପଣର ପ୍ରତିଫଳନ ସ୍ୱରୂପ ହାସଲ ହୋଇଥିବା ଅନେକ ଉଲ୍ଲେଖନୀୟ ସଫଳତାକୁ ମୁଁ ଗର୍ବର ସହ ଉପସ୍ଥାପନ କରୁଛି ।

ପୂର୍ବ ତଟ ରେଳପଥ କ୍ରମାଗତ ୯ମ ବର୍ଷ ପାଇଁ ଭାରତୀୟ ରେଳପଥର ସର୍ବାଧିକ ପଣ୍ୟ ବୋଝେଇ କରୁଥିବା ଜୋନ୍ ଭାବେ ନିଜର ଗୌରବମୟ ସ୍ଥାନ ବଜାୟ ରଖିଛି । ୨୦୨୫-୨୬ରେ ପୂର୍ବତଟ ରେଳପଥ ଐତିହାସିକ ଭାବେ ୨୮୬.୨୬ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ କରିଛି। ଯାହା ଗତବର୍ଷର ୨୫୯.୨୫ ମେଟ୍ରିକ୍ ଟନ୍ ତୁଳନାରେ ୧୦.୪୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ସେହିପରି, ମୋଟ ପଣ୍ୟ ଅନଲୋଡିଂ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ ସହ ୨୫୮.୫୬ ମେଟ୍ରିକ୍ ଟନ୍ ହାସଲ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୯.୨୪ ପ୍ରତିଶତ ବୃଦ୍ଧି ଅଟେ ।

ଯାତ୍ରୀ ପରିବହନ କ୍ଷେତ୍ରରେ, ୨୦୨୫-୨୬ରେ ପୂର୍ବ ତଟ ରେଳପଥ ୯୭.୭୧ ନିୟୁତ ଯାତ୍ରୀ ପରିବହନ କରିଛି । ୨୦୨୪-୨୫ରେ ଏହି ସଂଖ୍ୟା ୯୩.୫୨ ନିୟୁତ ଥିଲା ଯାହାକି ଆମ ସେବା ପ୍ରତି ଯାତ୍ରୀମାନଙ୍କର ବଢୁଥିବା ବିଶ୍ୱାସର ପ୍ରମାଣ ଅଟେ । ଆମର ରାଜସ୍ୱ ₹୩୨,୮୩୭.୬୭ କୋଟିରେ ପହଞ୍ଚିଛି, ଯାହା ୨୦୨୪-୨୫ ର ₹୨୯,୫୬୨.୮୫ କୋଟି ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ଅଟେ । ଗତ ଆର୍ଥିକ ବର୍ଷରେ ଆମର ପୁଞ୍ଜିଗତ ବ୍ୟୟ ବିନିଯୋଗ ₹୧୨,୨୨୧.୮୧ କୋଟି ରହିଥିଲା, ଯାହା ₹୧୧,୫୫୧.୬୪ କୋଟିର ମୋଟ ବଜେଟ୍ ଅନୁଦାନର ୧୦୫.୮୦ ପ୍ରତିଶତ । ଏହା ଆମର ଲକ୍ଷ୍ୟଭିତ୍ତିକ ଓ ଯୋଜନାବଦ୍ଧ କାର୍ଯ୍ୟନ୍ୱୟନର ପ୍ରତିଫଳନ ଅଟେ । ଆର୍ଥିକ ଶୃଙ୍ଖଳା ଏବଂ ପରିଚାଳନାଗତ ଦକ୍ଷତା ସହିତ ୨୦୨୫-୨୬ ରେ ଆମର ପରିଚାଳନା ଅନୁପାତ ୫୫.୧୪ ପ୍ରତିଶତ ଥିଲା, ଯାହା ସମସ୍ତ ଜୋନାଲ ରେଳପଥ ମଧ୍ୟରେ ଦ୍ୱିତୀୟ ସର୍ବୋତ୍ତମ ।
ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ନିରନ୍ତର ଭାବେ ଅଭିବୃଦ୍ଧିର ପଥରେ ଆଗେଇ ଚାଲିଛି । ଜୁଲାଇ ୨୦୨୬ ପର୍ଯ୍ୟନ୍ତ, ପୂର୍ବ ତଟ ରେଳପଥ ୮୮.୩୬ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ କରିବା ସହିତ ୩୦.୪୯ ନିୟୁତ ଯାତ୍ରୀ ପରିବହନ କରିଛି ଏବଂ ₹୮,୨୨୮.୮୬ କୋଟି ରାଜସ୍ୱ ଆୟ କରିଛି, ଯାହାକି ଆଗାମୀ ଦିନରେ ଆହୁରି ଉନ୍ନତି ଓ ସଫଳତା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରୁଛି ।
ପାର୍ବଣ ଋତୁ ଓ ଛୁଟିଦିନ ସମୟରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ, ରଥଯାତ୍ରା ସ୍ପେଶାଲ୍ ଟ୍ରେନ୍ ସମେତ ମୋଟ ୪୬୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି ଏବଂ ନିୟମିତ ଟ୍ରେନ୍ଗୁଡ଼ିକରେ ୧,୫୦୧ଟି ଅତିରିକ୍ତ କୋଚ୍ ମଧ୍ୟ ସଂଯୋଗ କରାଯାଇ ଯାତ୍ରୀମାନଙ୍କ ଯାତାୟାତ ସୁଗମ କରାଯାଇଛି ।
ସମ୍ବଲପୁର ଦେଇ ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସ୍ ସମେତ ସମୁଦାୟ ୧୬ ଯୋଡ଼ା ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । ଗୋଟିଏ ଯୋଡ଼ା ଟ୍ରେନ୍ର ସେବାର ସମ୍ପ୍ରସାରଣ କରାଯାଇଛି, ଏହାସହିତ ବ୍ରହ୍ମପୁର–ଉଧନା–ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ସାପ୍ତାହରେ ତିନି ଦିନରୁ ବୃଦ୍ଧି କରାଯାଇ ଦୈନିକ କରାଯାଇଛି । ଯାତ୍ରା ଅନୁଭୂତିକୁ ଅଧିକ ଆରାମଦାୟକ ଏବଂ ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ତିନି ଯୋଡ଼ା ଟ୍ରେନ୍ରେ ଏଲଏଚବି (LHB)ରେକ୍ ପ୍ରଚଳନ କରାଯାଇଛି ।
ଆମର ସମ୍ପୂର୍ଣ୍ଣ ରେଳ ଚଳାଚଳ ବ୍ୟବସ୍ଥାରେ ଯାତ୍ରୀ ସୁବିଧାସୁଯୋଗର ଉଲ୍ଲେଖନୀୟ ଉନ୍ନତି କରାଯାଇଛି। ଏଥିମଧ୍ୟରେ ୧୪ଟି ଷ୍ଟେସନରେ ଯାତ୍ରୀ ଲିଫ୍ଟ, ୧୭ଟି ୱାଟର କୁଲର, ୫ଟି ଷ୍ଟେସନରେ ଫୁଟ୍ ଓଭରବ୍ରିଜ୍, ୧୩ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ସେଡ, ପ୍ଲାଟଫର୍ମଗୁଡ଼ିକରେ ୨୮୭ଟି ଅତିରିକ୍ତ ବେଞ୍ଚ, ୨୮ଟି ଏସି, ୯ଟି ଷ୍ଟେସନରେ ଯାତ୍ରୀଙ୍କ ସୁଗମ ଯାତାୟାତ ପାଇଁ ରାମ୍ପ ଏବଂ ୧୮ଟି ଷ୍ଟେସନରେ ପ୍ଲାଟଫର୍ମ ଚଟାଣର ଉନ୍ନତୀକରଣ କରାଯାଇଛି । ଏହାସହିତ ୧୩ଟି ଷ୍ଟେସନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରାଯିବା ସହ ପ୍ରତୀକ୍ଷାଳୟ ଓ ସର୍କୁଲେଟିଂ ଏରିଆର ଉନ୍ନତୀକରଣ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ୪ଟି ପାର୍ସଲ୍ ସ୍କାନର ମଧ୍ୟ ସ୍ଥାପନ କରାଯାଇଛି ।
ଷ୍ଟେସନଗୁଡ଼ିକରେ ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବର୍ତ୍ତମାନ ୭୩ଟି ଷ୍ଟେସନରେ ହାଉସକିପିଂ ସେବା କାର୍ଯ୍ୟକାରୀ ହେଉଛି । ସେହିପରି, ୬୪ ଯୋଡ଼ା ଦୂରଗାମୀ ଟ୍ରେନ୍ରେ ଅନ୍ବୋର୍ଡ ହାଉସକିପିଂ ସେବା ଉପଲବ୍ଧ କରାଯାଇଛି । ପୂର୍ବ ତଟ ରେଳପଥ ଅଧୀନରେ ୫୬ ଯୋଡ଼ା ଟ୍ରେନ୍ରେ ଲିନେନ୍ ସେବା ମଧ୍ୟ ଉପଲବ୍ଧ କରାଯାଇଛି ।
ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନର ବ୍ୟାପକ ଉନ୍ନତୀକରଣ କାର୍ଯ୍ୟ ଦ୍ରୁତ…

