ବାଲେଶ୍ୱର ସହରର ସହଦେବଖୁଂଟା ଠାରେ ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ସମୟରେ ସେହି ପରିସରରେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା । ଆଂଚଳିକ ପରିବହନ ବିଭାଗ ସହଯୋଗରେ ହିତାଧିକାରୀ ଚୟନ ସହ ଦୋକାନ ଘରଗୁଡିକ ଆବଂଟନ କରାଯାଇଛି ।

ଏହି ନବନିର୍ମିତ ସହଦେବଖୁଂଟା ମାର୍କେଟ କମ୍ପେ୍ଲକ୍ସର ଉଦଘାଟନ ସହ ଦୋକାନଗୁଡିକୁ ପୂର୍ବରୁ ଚୟନ ହୋଇଥିବା ହିତାଧିକାରୀଙ୍କୁ ଆବଂଟନ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ବସଷ୍ଟାଣ୍ଡ ପରିସରରେ ପୂର୍ବରୁ ଅସ୍ଥାୟୀ ରୂପେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କୁ ଏକ ସ୍ଥାୟୀ ଠିକଣା ମିଳିପାରିଛି ବୋଲି କହିଥିଲେ ।

ଦୋକାନୀମାନେ ଦୀର୍ଘ ବର୍ଷ ଧରି ରାସ୍ତା କଡରେ ବ୍ୟବସାୟ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସହଦେବଖୁଂଟା ମାର୍କେଟ କମ୍ପେ୍ଲକ୍ସର ସ୍ଥାୟୀ ଦୋକନ ଘରେ ଅଧିକ ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ଜୀବିକା ଅର୍ଜନ ସହିତ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନର ଦିଗରେ ନୂତନ ପଥ ପ୍ରଶସ୍ତ କରିବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ ୪୬ଜଣ ହିତାଧିକାରୀଙ୍କୁ ସେମାନଙ୍କ ଦୋକାନୀ ଆବଂଟନ ଚୁକ୍ତିପତ୍ର ପ୍ରଦାନ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୋକାନୀମାନଙ୍କୁ ବ୍ୟବସାୟିକ ସଫଳତା କାମନା କରିଥିଲେ ।

ବାଲେଶ୍ୱର ଆଂଚଳିକ ପରିବହନ ଅଧିକାରୀ ଶ୍ୟାମଳେନ୍ଦୁ ରାଉତ ଏଥିରେ ପୌରହିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌର ପରିଷଦରେ ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ଉମାକାନ୍ତ ଶତପଥୀ, କାଉନସିଲର ନିରୂପମା ଦାଶ, ଦେବାଶିଷ ସିଂ, ରାଧାକୃଷ୍ଣ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

