ତିହିଡି, ୧୦.୦୮ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଦକ୍ଷିଣପାରି ଗ୍ରାମ ଅଧିନ ୬ ଓ ୭ ୱାର୍ଡ ପାଇଁ ଉଦ୍ଦିଷ୍ଟ ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏନେଇ କିଶୋରୀ ବାଳିକାଙ୍କ ସମେତ ୫୦ରୁ ଉର୍ଦ୍ଧ ଅଭିଭାବକ ସିଡିପିଓଙ୍କ ଭେଟି ଅଭିଯୋଗ ପ୍ରଦାନ କରିବା ସହିତ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହନ କରିବା ଲାଗି ଦାବୀ କରିଛନ୍ତି । ଅଭିଯୋଗ ମୁତାବକ, ଉକ୍ତ କେନ୍ଦ୍ରର କର୍ମୀ ଦୀର୍ଘଦିନ ହେବ ପିଲାମାନଙ୍କୁ ସରକାରୀ ନିୟମ ମୁତାବକ ଖାଦ୍ୟ ପ୍ରଦାନ କରୁନାହାଁନ୍ତି କି କିଶୋରୀ ମାନଙ୍କ ନିମନ୍ତେ ଆସୁଥିବା ଅଣ୍ଡା ୩ ମାସ ହେବ ଦେଉ ନାହାଁନ୍ତି । ବାରମ୍ବାର ମାଗିବାରୁ କର୍ମୀ ଓ ତାଙ୍କ ସ୍ୱାମୀ କିଶୋରୀମାନଙ୍କୁ ନାନାଦି ଗାଳି ଗୁଲଜ କରିବା ସହିତ ମାଡ ମାରିବା ପାଇଁ ଧମକ ଦେଉଛନ୍ତି । ଏପରିକି ଗତ ୭ ତାରିଖରେ ଦୁଇ ଜଣ କିଶୋରୀ ତାଙ୍କ ଘର ପାଖକୁ ଯାଇଥିଲେ ହେଲେ ଅଣ୍ଡା ନଦେଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଭାବକମାନଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି । ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କର୍ମୀ ଜଣକ ତାଙ୍କ ନିଜ ଘରେ କେନ୍ଦ୍ର ଚଳାଇ ଆସୁଛନ୍ତି । ଯାହା ଫଳରେ ବେପରୁଆ ମନଭାବ ପୋଷଣ କରିବା ସହିତ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ଆସୁଛନ୍ତି । ସଂପୃକ୍ତ କର୍ମୀ ଓ ହେଲପର ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି, କେନ୍ଦ୍ର ସଠିକ ଭାବେ ଚାଲୁନଥିବା ଏବଂ କିଛିଦିନ ତଳେ ଚାଉଳ ହଡପ ହୋଇଥିବା ନେଇ ଗ୍ରାମବାସୀଙ୍କ ସହ ବିବାଦ ହୋଇଥିଲା ବୋଲି ପଦ୍ମଲୋଚନ ମଳିକ, ରୀତା ମଳିକ, ଶଙ୍କର୍ଷଣ ଦାସ, ବିଜୟ ମଳିକ, ରତ୍ନାକର ମଳିକ, ନିରାକାର ମଳିକ, ବାନାମ୍ବର ମଳିକ, ରମାକାନ୍ତ ମଳିକ, ଚିନ୍ତାମଣି ଦାସ, ମଦନ ମଳିକ, ବିଦ୍ୟାଧର ମଳିକ, ରମାକାନ୍ତ ମଳିକ, ଜଗତା ମଳିକ, ରୋଜି ଦାସ, ପ୍ରିୟଙ୍କା ଦାସ, ଅନିମା ମଳିକ, ମିଲି ମଳିକ, ଗୀତା ନାଇକ, ଚନ୍ଦ୍ରକାନ୍ତି ମଳିକ, ମୌନାବତୀ ମଳିକ, କୌଶଲ୍ୟା ମଳିକ, ସୁକୁମାରୀ ଦାସ, ମାଧବୀ ମଳିକ, ମିନତୀ ମଳିକ, ରଞ୍ଜୁଲତା ମଳିକ, ଇତିଶ୍ରୀ ମଳିକ, ଅଲିଭା ମଳିକ, ସୁମିତ୍ରା ମଳିକ, ଗୀତା ମଳିକ, କନକ ଦାସ ଓ ଚୁମୁକି ମଳିକ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପଟେ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରୁବିଲତା ଦାସ ଏହାକୁ ଖଣ୍ଡନ କରିବା ସହିତ ତାଙ୍କ ବିରୋଧରେ ଏକ ବଡ ଧରଣର ଷଢଯନ୍ତ୍ର ଚାଲୁଥିବା କହିଛନ୍ତି । ଗତ ଶୁକ୍ରବାର ସଂଧ୍ୟା ୫ ଘଟିକା ସମୟରେ ସେ ପିଣ୍ଡାରେ ବସିଥିବା ବେଳେ ଦୁଇ ଜଣ କିଶୋରୀ ଆସି ଅଣ୍ଡା ମାଗିଥିଲେ । ସରକାରଙ୍କ ପକ୍ଷରୁ ଅର୍ଥ ଆସିନାହିଁ ହେଲେ ଶନିବାର ସେ ନିଜ ହାତରୁ ଖର୍ଚ୍ଚ କରି ଅଣ୍ଡା କିଣି ସମସ୍ତଙ୍କୁ ପ୍ରଦାନ କରିବେ ବୋଲି କହିଥିଲେ । ହେଲେ ସେମାନେ ଉତ୍ତେଜିତ ହୋଇ ଗାଳିଗୁଲଜ କରିବା ସହିତ ଚୁଟିକୁ ଧରି ଘୋଷାରୀ ତଳେ ପକେଇ ଦେଲେଥିଲେ ଏବଂ ସେ ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ଆସିବା ପରେ ସେମାନେ ଦୌଡି ପଳେଇ ଯାଇଥିଲେ ଏବଂ ଯିବା ସମୟରେ ଜୀବନରୁ ମାରି ଦେବାର ଧମକ ଦେଇ ଯାଇଥିଲେ । ଯାହାକୁ ନେଇ ସେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଏବଂ ପୋଲିସ ମଧ୍ୟ ତଦନ୍ତ ଚଳାଇ ଆସୁଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

