ତିହିଡି, ୧୦.୦୮ : ଭଦ୍ରକ ଜିଲ୍ଲା ତିହିଡି ପୋଲିସ ପକ୍ଷରୁ ସ୍ଥାନୀୟ ତିହିଡି ଯୁକ୍ତଦୁଇ କଲେଜ ପରିସରରେ ସାଇବର ଅପରାଧ ଓ ନୂଆ ଅପରାଧିକ ଆଇନ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଛାତ୍ରଛାତ୍ରୀମାନେ ପ୍ରତି ମୂହୁର୍ତ୍ତରେ ସଚେତନ ହେବାର ଆବଶ୍ୟକତା ରହିଛି ଏବଂ କୌଣସି ସମସ୍ୟା ହେଲେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି । ସାଇବର ଅପରାଧ, ବ୍ଲାକମେଲ୍, ଯୌନ ଶୋଷଣ ଓ ଏ-ଆଇ ମାଧ୍ୟମରେ ମିଥ୍ୟାରୋପ ଆଦି ଘଟଣାର ଦିନକୁ ଦିନ ବ୍ୟାପିବାରେ ଲାଗିଛି ଯାହା ପ୍ରତି ସଭିଏଁ ସତର୍କ ରହିବା ସହିତ ସାମାଜିକ ଗଣମାଧ୍ୟମ ଠାରୁ ଦୂରେଇ ରହିବା ଅଥବା ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବା ଆଦି ସମ୍ପର୍କରେ ସଚେତନ କରାଯାଇଥିଲା । ଏତତ୍ବ୍ୟତିତ ପୋଲିସ ପ୍ରତି ଭୟଶୀଳ ନହେବା, ସାମାଜିକ ସ୍ତରରେ ଘଟୁଥିବା ଅପରାଧ ସମ୍ପର୍କରେ ପୋଲିସକୁ ସୂଚନା ଦେବା, ବ୍ଲାକମେଲର ଶିକାର ହେଲେ ପୋଲିସକୁ ନିର୍ଭୟରେ ଅବଗତ କରିବା ଆଦି ପରାମର୍ଶ ଦିଆଯାଇଥିଲା । କଲେଜର ଅଧ୍ୟକ୍ଷା ମାନୋଲି ସାମଲାଙ୍କ ଅଧ୍ୟକ୍ଷତାରେ ଉକ୍ତ ସଚେତନତା ଶିବିରରେ ବିଡ଼ିଓ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଭାବେ ତିହିଡି ଆଇଆଇସି ଲୋପାମୁଦ୍ରା ନାୟକ ଯୋଗଦେଇ ସମସ୍ତଙ୍କୁ ଏପରି ସଚେତନ କରାଇଥିଲେ । ଏସଆଇ ପ୍ରକାଶ ନାୟକ, ରୋଜେନ ମୁର୍ମୁ ଓ ଏଏସଆଇ କୁମୁଦିନୀ ବେହେରା, କଲେଜର ଶ୍ରୀରାମ ଦାଶ, ଜ୍ଞାନରଞ୍ଜନ ଭୂୟାଁ, ଉଷାରଣୀ ଜେନା, ନିରୂପମା ସାହୁ, ମନ୍ଦାକିନୀ ବଳ, ଅଲିଭା ଜେନା, ଜୟଶ୍ରୀ ମହାରଣା, ଅଭିଲିପ୍ସା ଦାସ, ଜ୍ୟୋସ୍ନାରାଣୀ ବିଶ୍ୱାଳ, ରମେଶ ସାହୁ, ବିଜୟ ପଣ୍ଡା, ନିରଞ୍ଜନ ପାଢୀ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

