ତିହିଡି଼ – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରି ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ସହାୟତା କରିବେ ବୋଲି କହିଛନ୍ତି। ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ ଗ୍ରାମକୁ ଯାଇ ବିପନ୍ନମାନଙ୍କୁ ଭେଟିଥିଲେ। ପରେ ତିଆଡ଼ିସାହି ଛକ ଠାରେ ବିପନ୍ନ ମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ତଦନ୍ତ ପରେ ବନ୍ୟାରେ ଗୃହ ଭାଙ୍ଗିଥିବା ପରିବାରକୁ ସହାୟତା ମିଲିବା ଉପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ବନ୍ୟା ଅଞ୍ଚଳରେ ପାନୀୟ ଜଳର ସୁବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ନଳକୂପ ସବୁକୁ ବିଶୋଧନ କରିବାକୁ କହିଥିଲେ। ବନ୍ୟାରେ ଧାନଚାଷ, ରାସ୍ତା ଇତ୍ୟାଦି ନଷ୍ଟ ହୋଇଥିବା ବିପନ୍ନମାନେ ସୂଚନା ଦେବା ସହ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇଥିବା କହିଥିଲେ। ବନ୍ୟା ପାଣିରେ ବୁଡିଯିବା ଯୋଗୁଁ ମାଛଚାଷ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ଏସଏଚଜି ମହିଳାମାନେ ଅବଗତ କରିଥିଲେ। କୃଷି ଋଣ ଛାଡ଼ ସହିତ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ବନ୍ୟା ଅଞ୍ଚଳଗସ୍ତ ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର ସୁବାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ, ଜିଲା ଭାଜପା ସଭାପତି ଭଗବାନ ପଣ୍ଡା, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାରସର ସରପଞ୍ଚ ଚକ୍ରଧର ଦାସ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼ଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ସୌମ୍ୟରଞ୍ଜନ ସାହୁ, ସୁବ୍ରତ ମହାନ୍ତି, ରତ୍ନାକର ନାୟକ, ପ୍ରକାଶ ଜେନା, ଲମ୍ବୋଦର ବିଶ୍ବାଳ, ଅଶୋକ ମହାନ୍ତି, କାଳନ୍ଦି ନାୟକ, ସମ୍ବିତ ସାହୁ, ଲାଲମୋହନ ଦାସ, ବିରେନ୍ଦ୍ର ନାୟକ, ଆନନ୍ଦ ଦାସ, ପ୍ରଶାନ୍ତ ନାୟକ ଓ ପ୍ରସନ୍ନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସେହି ଅଞ୍ଚଳରୁ ଫେରିବା ପରେ ଶ୍ୟମସୁନ୍ଦରପୁର ପଞ୍ଚାୟତର ବିପନ୍ନମାନେ ବ୍ଲକ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁର୍ଦ୍ଦଶା ସମ୍ପର୍କରେ ଜଣାଇବା ସହ କ୍ଷତିପୂରଣ ଦାବି କରିଥିବା ଜଣାପଡିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

