ତିହିଡୀ- ଚାନ୍ଦବାଲି ବ୍ଲକର ବରିଷ୍ଠ ସିପିଏମ୍ ନେତା ଅର୍ଜୁନ ନାୟକ ୧୯୭୧ ମସିହା ମହାବାତ୍ୟା ସମୟରେ ତତ୍କାଳୀନ କଲିକତା ମହାନଗରୀରେ ଝୋଟକଳରେ କାମ କରୁଥିବା ଓଡିଶା ଶ୍ରମିକମାନଙ୍କୁ ଏକଜୁଟ କରି ସେମାନଙ୍କ ନେତୃତ୍ବ ନେଇ ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ପରେ ଓଡିଶା ଫେରି ମତୋ ଅଞ୍ଚଳରେ ଚାଷୀ ଓ ଶ୍ରମିକ ମାନଙ୍କ ନେତୃତ୍ବନେଇ ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରେ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ମତୋ ଓ ମଉସୁଧା ଅଞ୍ଚଳର ସାଧାରଣ ଲୋକଙ୍କ ସେବା କରିଥିଲେ । ତାଙ୍କ ଫୁସଫୁସରେ କର୍କଟ ରୋଗ ଯୋଗୁ ଗତ ୦୩ ତାରିଖ ଅଗଷ୍ଟ ୨୦୨୬ ରାତି ୨ ଘଟିକା ସମୟରେ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ୮୨ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମରଶରୀରକୁ ତାଙ୍କ ମଉସୁଧା ସ୍ଥିତ ବାସଭବନକୁ ଅଣାଯାଇ ମଉସୁଧା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ଘରବାଡିରେ ତାଙ୍କ ମର ଶରୀରରେ ଆଜି ଅପରାହ୍ନରେ ନିଆଁ ଦିଆ ଯାଇଥିଲା । ତାଙ୍କ ମୃତ୍ୟୁରେ ସିପିଆଇ(ଏମ)ର ବରିଷ୍ଠ ନେତା ରବି ପଟ୍ଟନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା ମଳୟ ଭୋଇ, ମଉସୁଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜକିଶୋର ମଲ୍ଲିକ, ସମାଜସେବୀ ସୁଧାକର ପଣ୍ଡା, ସମିତି ସଭ୍ୟ ତାପସ ନାୟକ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଭାପତି ଅଶୋକ ବେହେରା, ବରିଷ୍ଠ ନେତା ଫକୀର ସ୍ୱାଇଁ, ସୃଷ୍ଟିଧର ବିଶ୍ବାଳ, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ମହିଳା ନେତ୍ରୀ କାମିନୀ ଭୋଇ, ଚାଷୀ ନେତା ପ୍ରବୀର ନାୟକ, ପ୍ରଣବ ପଣ୍ଡା, ଘନଶ୍ୟାମ ବଳ, ଶ୍ରମିକ ନେତା ନକୁଳ ମଲ୍ଲିକ, ଅକ୍ଷୟ ସେଠୀ, ଶରତ ଚନ୍ଦ୍ର ରାଉତ, ପ୍ରତାପ ବଳ, ପୁରୋସ୍ତମ ରାଉତ, ବୃନ୍ଦାବନ ଭଳ ପ୍ରମୁଖ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ଶବ ଶୋଭା ଯାତ୍ରାରେ ମଉସୁଧା ପଞ୍ଚାୟତର ପ୍ରାୟ ଶତାଧିକ ସାଧାରଣ ଜନତା ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

