ତିହିଡି -ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଖଡ଼ିଯାଆଳ ଗାଁରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୫ରୁ ଅଧିକ ଦିନ ଧରି ଗାଁଟି ପାଣି ଘେରରେ ରହିଥିବା ବେଳେ ୧୦ରୁ ଅଧିକ ପରିବାର ସରକାରୀ ସହାୟତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଏହି ଗାଁରେ ବନ୍ୟା ବିଭୀଷିକା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରି ଦେଇଛି। ଗାଆଁର ଚାରିପଟେ ବନ୍ୟା ପାଣି ଘେରି ରହି ଥିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାଁନ୍ତି। ରାସ୍ତାଘାଟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପିଇବା ପାଣି ଓ ଔଷଧ ପାଇବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗାଁର ୧୦ରୁ ଅଧିକ ପରିବାର ବନ୍ୟା ପାଣି ମଧ୍ୟରେ ଫସି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ ଜରୁରୀ ସହାୟତା ସେମାନଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି। ଶିଶୁ, ବୃଦ୍ଧ ଓ ମହିଳାମାନେ ବିଶେଷ ଭାବେ ଦୁର୍ଦ୍ଦଶାରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ହସ୍ପିଟାଲକୁ ନେବା ମଧ୍ୟ ସମ୍ଭବ ହେଉନାହିଁ। ପ୍ରଶାସନ ପକ୍ଷରୁ ତୁରନ୍ତ ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଦାବୀ କରା ଯାଇଛି। ଅନ୍ୟପଟେ ଏହି ଗାଁରେ ଉଚିତ ସମୟରେ ଉଦ୍ଧାର କାର୍ଯ୍ଯ କରା ଯାଇଛି ଏବଂ ରିଲିଫ ସହ ରନ୍ଧା ଖାଦ୍ଯର ବ୍ୟବସ୍ଥା କରା ଯାଇଥିବା ସୂଚନା ଦେଇଛନ୍ତି ବିଡିଓ ନିରଞ୍ଜନ ବାରିକ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

