ତିବିଡି- ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ବିଭିନ୍ନ ପଞ୍ଚାୟତ ଯଥା ଘଟପୁର, ମାଧପୁର, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତରେ ବନ୍ୟାକ୍ଳୀଷ୍ଟ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯିବା ସହ ବନ୍ୟା ଘେରରେ ଭୋକରେ ରହିଥିବା ପରିବାର ଗୁଡିକୁ ରନ୍ଧା ଖାଦ୍ୟ ଯୋଗାଇ ଦେବା, ମାସକ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦେବା, ଗୋଖାଦ୍ୟ ଯୋଗାଇଦେବା, ମାଟି ଘର ହରାଇଥିବା ସମସ୍ତ ପରିବାରକୁ ପକ୍କା ଘର ତୁରନ୍ତ ଯୋଗାଇ ଦେବା, କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ଯୋଗାଇ ଦେବା, ଗୋରୁ ଗାଈ, ଛେଳି ମେଣ୍ଢା ହରାଇଥିବା ପରିବାର ଗୁଡିକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ବନ୍ୟା ଜଳ ଯୋଗୁଁ ମାଟି କାନ୍ଥ ପଡି ଆହତ ହୋଇଥିବା ପରିବାର ଗୁଡିକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ, ରିଲିଫ ଯୋଗାଣରେ ରାଜନୈତିକ ପାତର ଅନ୍ତର ବଂଦ କରିବା ଆଦି ସିପିଆଇଏମ ପକ୍ଷରୁ ଦାବି କରା ଯାଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାୟ ୪ ଶହ ପରିବାରକୁ ସିପିଆଇ(ଏମ)ର ନେତୃବୃନ୍ଦ ଏକ ଡଙ୍ଗାରେ ଯାଇ ଭେଟି ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ, ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା, ଯୁବ ନେତା ବାବୁଲାଲ ସାହୁ, ଯୁବ ସମାଜସେବୀ ରାଜେନ୍ଦ୍ର ପାଣି, ଯୁବନେତା ବିବେକାନନ୍ଦ ଦାସ, ରାମଚନ୍ଦ୍ର ବିଶ୍ବାଳ, ସନାତନ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ରିଲିଫ ବଣ୍ଟନ ସହିତ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ଡବଲ୍ ଇଞ୍ଜିନ୍ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସିପିଆଇ (ଏମ) ନେତା ବିକାଶ ନାଥ ତୀବ୍ର ସମାଲୋଚନା କରିବା ସହ ଓଡିଶାର ଅଧେ ଜିଲ୍ଲା ବନ୍ୟା ଜଳରେ ଭାସୁଥିବା ବେଳେ ଓଡିଶାର ବିଜେପି ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ନେତା ମାନେ ଦିଲ୍ଲୀରେ ମଜାମସ୍ତି କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ବନ୍ୟା ପରିସ୍ଥିତିର ସଠିକ୍ ସରକାରୀ ଆକଳନ ହୋଇ ଚାଷୀ ଓ ସାଧାରଣ ଜନତା ଙ୍କୁ ଉପଯୁକ୍ତ କ୍ଷତିପୂରଣ ନମିଳିଲେ ସିପିଆଇ (ଏମ) ପକ୍ଷରୁ ଅଗଷ୍ଟ, ୧୦ ରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସିପିଆଇ(ଏମ) ଯୁବନେତା ବିକାଶ ନାଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

