ତିହିଡି, ୦୧-୦୮- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ କେତେକ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆ ଯାଇଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଶାସନ ଲୋକଙ୍କୁ ଏହି ସୂଚନା ପ୍ରଦାନ କରିଛି । ବନ୍ୟାଞ୍ଚଳରେ ବିଷଧର ସାପ ମାନେ ବୁଲୁଥିବା ବେଳେ ବନ୍ୟା ପାଣିରେ କୁମ୍ଭୀରମାନେ ବି ନଦୀରୁ ଚାଲି ଆସିଛନ୍ତି । ତେଣୁ ନିହାତି ଆବଶ୍ୟକ ନଥିଲେ ବନ୍ୟା ପାଣିକୁ ନ ଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ବନ୍ୟା ଛାଡ଼ିବା ପରେ ଦୂଷିତ ପାଣି ସେବନ କରି ହଇଜା ବ୍ୟାପିବାର ଆଶଙ୍କା ଥିବାରୁ ଲୋକେ ପାଣିକୁ ଫୁଟାଇ ଛାଣି କରି ପିଇବାକୁ ପରାମର୍ଶ ଦିଆ ଯାଇଛି । ଗାଁମାନଙ୍କରେ ଥିବା ନଳକୂପ ଗୁଡିକୁ ବିଶୋଧନ କରିବା ଲାଗି ଲୋକେ ବ୍ଲକ ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆ ଯାଇଛି । ଏଠାରେ ସୂଚନା ଥାଉକି, ଚଳନ୍ତି ବନ୍ୟାରେ ବୋଡକ ପଞ୍ଚାୟତରେ ଜଣେ ଯୁବକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଆଉ କିଛି ସାପ କାମୁଡ଼ା ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି । ସେହିପରି ବନ୍ୟା ଅଞ୍ଚଳରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

