ରାୟଗଡ଼ା: ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର। ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଫସିଗଲେ ଡ୍ରାଇଭର୍ ସହ ଜଣେ ନାବାଳକ । ପାଣି ସ୍ରୋତରେ ଦୁଇ ଜଣ ଫସିଯାଇଥିବା ବେଳେ ଜଣେ ଯୁବକ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ରାୟଗଡା କୋଲନରା ବ୍ଲକ ଇମାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ସୂଚନା ଅନୁଯାୟୀ, ପ୍ରକାଶ ପେଦେଣ୍ଟି ଟ୍ରାକ୍ଟର ଯୋଗେ ନାଗବଳୀ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଇଥିଲେ। ହେଲେ ଫେରିବା ବେଳେ ନଦୀରେ ପ୍ରବଳ ସ୍ରୋତ ମାଡି ଆସିଥିଲା। ପାଖରେ ତାଙ୍କ ସଂପର୍କୀୟ ନାବାଳକ ପୁତୁରା ହରି ପେଦେଣ୍ଟି ମଧ୍ଯ ଥିଲେ।
ତେବେ ନଦୀରେ ପାଣି ପ୍ରବଳ ବେଗରେ ଆସିବା ଯୋଗୁଁ ଦୁହେଁ ଦୀର୍ଘ ଘଣ୍ଟା ଧରି ନଦୀ ଗର୍ଭରେ ରହି ଯାଇଥିଲେ। ପାଣିର ବେଗ ଦେଖି ଭିତରକୁ ଯିବାକୁ କେହି ସାହାସ କରିନଥିଲେ । ଇନ୍ତାଲିଗୁଡାର ଜଣେ ଯୁବକ ନଦୀ ଭିତରେ ପସି ଉଭୟଙ୍କୁ ଉଦ୍ଧାର କରିଥିଲେ। ଦୁହେଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଇନ୍ତାଲିଗୁଡା ନିକଟରେ ନାଗାବଳୀ ନଦୀ ପ୍ରବାହିତ ହେଉଥିବା ବେଳେ ଅନେକ ଗାଁ ନଦୀ ଆରପାଖରେ ରହିଛି। ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କଲେ ପ୍ରାୟ ୧୦ଟି ଗାଁର ଲୋକେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

