ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଅମରନାଥ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଗନ୍ଦରବଲ ଜିଲ୍ଲା ହରିଗନିୱାନରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଛି । ଦୁର୍ଘଟଣାରେ ପ୍ରାୟ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ବସ୍ ରେ ଥିଲେ । ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଭୟ ସୃଷ୍ଟି କରିଛି ।
ଖବର ମୁତାବକ, ଅମରନାଥ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍ ହରିଗନିୱାନରେ ନିୟନ୍ତ୍ରଣ ହରାଇ ଘାଟିକୁ ଖସି ପଡିଥିଲା । ବସ୍ ଖାଇକୁ ଖସିପଡିବା ପରେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ବେଳେ ବସରେ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF), ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP), ଜମ୍ମୁ ଏବଂ କଶ୍ମୀର ପୋଲିସ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ ।
ଉଦ୍ଧାରକାରୀ ଦଳ ସମସ୍ତ ଆହତ ତୀର୍ଥଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି । ଡାକ୍ତରଙ୍କ ଏକ ଟିମ୍ ଆହତମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ଡ୍ରାଇଭର ହଠାତ୍ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍ ଟି ରାସ୍ତାରୁ ଖାଇକୁ ପଡ଼ିଥିଲା । ପୋଲିସ ଏବଂ ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛନ୍ତି ।
ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯାତ୍ରା ମାର୍ଗରେ ସେନା, ଅର୍ଦ୍ଧସୈନିକ ବଳ ଏବଂ ପୋଲିସ ନିୟୋଜିତ ଥିଲେ । ତେଣୁ ଦୁର୍ଘଟଣା ପରେ ତୁରନ୍ତ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଶାସନ ଲଗାତାର ସ୍ଥିତି ଉପରେ ନଜର ରଖିଛି ।

